୪ ଭାଇଙ୍କୁ ଗଣହତ୍ୟା ମାମଲାରେ ୫ ପାଇଲେ ଆଜୀବନ ସଜା
ଅଢ଼େଇ ବର୍ଷର ବିଚାର ପରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ୫ ଆସାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜଜ୍ । ମୁଖ୍ୟ ଆସାମୀଙ୍କୁ ୨୫ ବର୍ଷ ଏବଂ ଅନ୍ୟ ୪ ଜଣ ଆସାମୀଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ସଜା ଶୁଣାଇଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ । ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ୫ ଅଭିଯୁକ୍ତ ହେଲେ ମିଲନ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ବାହନ ପତି, ମିତ୍ରସେନ ସେଠୀ ଓ ମୁଖ୍ୟ ଅଭିଯୁକ୍ତ ସାଧୁ ସ୍ୱାଇଁ । ସବୁ ଅଭିଯୁକ୍ତଙ୍କ ଘର ପିତଳ ନିକଟ ରାମଚନ୍ଦ୍ରପୁରରେ ।
ସେଦିନ ଥିଲା ୨୦୨୨ ମାର୍ଚ୍ଚ ୨୨ । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ହିଞ୍ଜିଳି ଥାନା ପିତଳ ଛକରେ ନରେନ୍ଦ୍ରପୁର ଗାଁର ୪ ଭାଇଙ୍କୁ ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲେ ଅଭିଯୁକ୍ତମାନେ । ମଙ୍ଗୁଳୁ ସ୍ୱାଇଁଙ୍କ ପୁଅ ରାଜା(୨୮), ଶମ୍ଭୁ(୨୫), ପାଣ୍ଡବ(୨୩) ଓ ପୁତୁରା ଚନ୍ଦନ(୧୬)ଙ୍କ ଜୀବନ ଚାଲିଯାଇଥିଲା ।
ସୂଚନା ଅନୁଯାୟୀ, ରାଜା ଓ ତାଙ୍କ ମାଉସୀ ପୁଅ ବୋଉଳଘାଇ ଗାଁର ଚନ୍ଦନ ପିତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିଲେ । ଶମ୍ଭୁ ପାଠ ପଢ଼ୁଥିଲେ ଏବଂ ପାଣ୍ଡବ ଡାଲା ଅଟୋ ଚଳାଉଥିଲେ । ପ୍ରତିଦିନ ରାତି ୧୧ରୁ ୧୨ଟା ମଧ୍ୟରେ ସେମାନେ ଏକାଠି ଗାଁକୁ ଯାଆନ୍ତି । ମାର୍ଚ୍ଚ ୨୨ ରାତି ୯ଟାରେ ଫାଷ୍ଟଫୁଡ୍ ଦୋକାନ ଆଗରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ପରେ ସାଧୁ ସ୍ୱାଇଁ, କେତେଜଣ ବାଇକ୍ ଆରୋହୀ ଓ ଜଣେ ମହିଳାଙ୍କୁ ଉଦ୍ଧାରବେଳେ ୪ ଭାଇଙ୍କ ମଧ୍ୟରୁ ଜଣେ କମେଣ୍ଟ୍ କରିଥିଲେ । ଏହାକୁ ନେଇ କିଛି ସମୟ ଯୁକ୍ତି ହୋଇଥିଲା । ପରେ ସାଧୁ ସେଠାରୁ ଚାଲି ଯାଇଥିଲେ ।
ରାତି ପ୍ରାୟ ସାଢ଼େ ୧୧ରେ ସାଧୁ ଓ ତାଙ୍କର କେତେକ ସହଯୋଗୀ ଲୁହା ରଡ୍, ଠେଙ୍ଗା ଧରି ଫାଷ୍ଟଫୁଡ୍ ଦୋକାନକୁ ଆସି ୪ ଭାଇଙ୍କୁ ଅତର୍କିତ ଆକ୍ରମଣ କରିବାରୁ ସମସ୍ତେ ସେଇଠି ସମସ୍ତଙ୍କ ଜୀବନ ଚାଲିଯାଇଥିଲା । ହିଞ୍ଜିଳି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
Powered by Froala Editor