ଆର୍.ଜି କର ହସ୍ପିଟାଲ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଗିରଫ
କୋଲକାତା ବଳାତ୍କାର ମାମଲାରେ ସିବିଆଇ ଆର୍.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି। ନିକଟରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର୍ ପଞ୍ଜୀକୃତ କରିଥିଲା। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋଲକାତା ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଛି।
ଅଗଷ୍ଟ ୯ରେ କୋଲକାତାର ଆର୍.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହା ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟଙ୍କୁ ସିବିଆଇ ଗିରଫ କରିସାରିଛି।
ଏହି ଘଟଣାରେ ସନ୍ଦୀପ ଘୋଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଲଗାତାର ଅନେକ ଦିନ ଧରି ସିବିଆଇ ତାଙ୍କୁ ପଚରାଉଚରା କରୁଥିଲା। ପଚରାଉଚରା ବେଳେ ସନ୍ଦୀପ ଘୋଷ କ୍ରମାଗତ ଭାବରେ ନିଜର ବିବୃତ୍ତି ପରିବର୍ତ୍ତନ କରୁଥିଲେ । ଏହି ସମୟରେ ସନ୍ଦୀପଙ୍କ ବିରୋଧରେ ବହୁତ କିଛି ପ୍ରମାଣ ରହିଛି ବୋଲି ସିବିଆଇ ଅଧିକାରୀ କହିଥିଲେ। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ସନ୍ଦୀପ ଘୋଷଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ସିବିଆର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ତାଙ୍କ ନାଁରେ ଏତଲା ଦାଏର କରାଯାଇଥିଲା।
Powered by Froala Editor