ନାରୀ ନିର୍ଯାତନା ରୋକିବାକୁ ଅଜୟରୁ ହୋଇଗଲେ ରିଙ୍କି
ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ପାଇଁ ଅଜୟ ପାଲଟି ଯାଇଛନ୍ତି ରିଙ୍କି। ବାଲେଶ୍ୱର ଜଳେଶ୍ୱରର ନମକାନା ଗାଁର ରବିନ୍ଦ୍ର ବାରିକଙ୍କ ପୁଅ ଅଜୟ ବାରିକ। ଶୈଶବରୁ କୈଶୋର ଏବଂ କୈଶୋରରୁ ଯୌବନ ଯାଏ ଜଣେ ପୁରୁଷ ଭାବେ ସମାଜରେ ସେ ପରିଚିତ ଥିଲେ । କିନ୍ତୁ ଏବେ ଜଣେ ସୁନ୍ଦରୀ କନ୍ୟା ଭାବରେ ନାମରେ ନୂଆ ପରିଚୟ ପାଇଛନ୍ତି ଅଜୟ । ମହିଳାଙ୍କ ଦୁଃଖ, କଷ୍ଟ ଓ ଯନ୍ତ୍ରଣାକୁ ଅନୁଭବ କରିବା ପାଇଁ ସେ ନିଜେ ଜଣେ ମହିଳା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
ଅଜୟ ପାଠପଢା ଶେଷ ହେବା ପରେ କୋଲକାତାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ତେବେ ସମାଜରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ କନ୍ୟା ଭ୍ରୂଣ ହତ୍ୟା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ନାରୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ରୋକିବା ପାଇଁ ନିଜେ ନାରୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।
ସେ ନିଜ ପରିବାର ଲୋକଙ୍କ ସହମତି କ୍ରମେ ୨୦୨୨ ମସିହା ଡିସେମ୍ବର ମାସରେ ଦିଲ୍ଲୀ ସ୍ଥିତ ଓଲମେକ୍ ହସପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ୱାବଧାନରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇ ଥିଲେ । ଏଥିପାଇଁ ସେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇବା ପରେ ବିଭିନ୍ନ ସଙ୍ଗଠନ ସହ ଜଡ଼ିତ ହୋଇ ନାରୀ ସଶକ୍ତିକରଣ ପାଇଁ ସେ କାର୍ଯ୍ୟ କରୁଛନ୍ତି। ରିଙ୍କିଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପରିବାର ଲୋକେ।
Powered by Froala Editor