‘ଅସନା’ ପ୍ରଭାବ: ଧସି ଯାଇଛି ରେଳ ଧାରଣା
ନୂଆଦିଲ୍ଲୀ: ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସନା’ ତେଲଙ୍ଗାନାରେ ବଡ଼ ଧରଣର ପ୍ରଭାବ ପକାଇଛି। ରବିବାର ସକାଳୁ ତେଲଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ରେଳ ଧାରଣାରେ ପାଣି ଭରି ରହିଛି। କେତେକ ସ୍ଥାନରେ ରେଳ ଧାରଣା ଧସି ଯାଇଛି। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଅନେକ ଟ୍ରେନ୍ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି।
କଚ୍ଛ୍ ଉପକୂଳ ପାକିସ୍ତାନର ନିକଟବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ‘ଅସନା’ରେ ପରିଣତ ହୋଇଛି। ଏହି ବାତ୍ୟା ତେଲଙ୍ଗାନା ଆଡ଼କୁ ଗତି କରିଛି। ରବିବାର ଏଠାରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ କେସାମୁଦ୍ରମ୍ ଏବଂ ମେହବୁବାବାଦ୍ ମଧ୍ୟରେ ରେଳ ଲାଇନ୍ ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ ରେଳ ଲାଇନ୍ ଦବି ଯାଇଛି। ଏନେଇ ସୂଚନା ପାଇବା ପରେ ବିଜୟୱାଡାରୁ ୱାରଙ୍ଗଲ, ୱାରଙ୍ଗଲରୁ ବିଜୟୱାଡା ଏବଂ ଦିଲ୍ଲୀରୁ ବିଜୟୱାଡାକୁ ଯାଉଥିବା ସମସ୍ତ ଟ୍ରେନ୍ ଅଟକି ରହିଛି। ଏହା ବ୍ୟତୀତ ରେଳ ଲାଇନ୍ରେ ଜଳମଗ୍ନ ହୋଇଥିବାରୁ ଅନେକ ଟ୍ରେନ୍ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି।
Powered by Froala Editor