୨୦୨୭ରେ ଚନ୍ଦ୍ରଯାନ-୪ର ପ୍ରକ୍ଷେପଣ
ନୂଆଦିଲ୍ଲୀ: ୨୦୨୭ରେ ଚନ୍ଦ୍ରଯାନ-୪ର ପ୍ରକ୍ଷେପଣ ହେବା ନେଇ ଶନିବାର ଇସ୍ରୋ ମୁଖ୍ୟ ଡ. ଏସ୍ ସୋମନାଥ ଏକ ବୟାନରେ କହିଛନ୍ତି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ଜାତୀୟ ମହାକାଶ ଦିବସ ପାଳନ କରାଯାଇଛି । ଏ ନେଇ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୋଗଦେଇ ଡ. ସୋମନାଥ ଚନ୍ଦ୍ରଯାନ-୪ ଲଞ୍ଚିଙ୍ଗ୍ ବାବଦରେ ଘୋଷଣା କରିବା ସହ ଏହାକୁ ଆହୁରି ସଫଳ ବନାଇବା ଲାଗି ଯଥାସାଧ୍ୟ ଉଦ୍ୟମ ହେଉଥିବା କହିଛନ୍ତି ।
ଚତୁର୍ଥ ମୁନ୍ ମିଶନ୍ ବାବଦରେ ଅଧିକ ସୂଚନା ଦେଇ ଡ. ସୋମନାଥ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହାର ଡିଜାଇନ୍ ଚୂଡ଼ାନ୍ତ ହୋଇଯାଇଛି । ଏଥିପାଇଁ କେବଳ ସରକାରଙ୍କ ମଞ୍ଜୁରିକୁ ଅପେକ୍ଷା । ମଞ୍ଜୁରି ମିଳିବା ପରେ ଚନ୍ଦ୍ରଯାନ-୪ର ବିଭିନ୍ନ କାର୍ୟ୍ୟ ତ୍ୱରାନ୍ୱିତ ହେବ । ଏହି ମିଶନ୍ ଜରିଆରେ ଚନ୍ଦ୍ରପୃଷ୍ଠରୁ ୩ରୁ ୫ କିଲୋଗ୍ରାମ ମାଟି ଓ ଶିଳା ନମୁନା ପୃଥିବୀକୁ ଆଣିବା ଲାଗି ଲକ୍ଷ୍ୟ ରହିଛି । ଏଥର ଚନ୍ଦ୍ରଯାନ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନରେ ୫ଟି ପୃଥକ୍ ମଡ୍ୟୁଲ୍ ରହିବ । ୨୦୨୩ରେ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରଯାନ-୩ରେ ପ୍ରପଲ୍ସନ ମଡ୍ୟୁଲ୍ (ଇଞ୍ଜିନ୍), ଲ୍ୟାଣ୍ଡର୍ ଓ ରୋଭର୍କୁ ମିଶାଇ ମୋଟ ୩ଟି ମଡ୍ୟୁଲ୍ ରହିଥିଲା ।
ଇସ୍ରୋ ମୁଖ୍ୟ କହିଛନ୍ତି, ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ୨୦୨୭ ପ୍ରକୃଷ୍ଟ ସମୟ ହେବ । ପୃଥିବୀ ଓ ଚନ୍ଦ୍ରର ପରିସ୍ଥିତି ସବୁବେଳେ ଗୋଟିଏ ପ୍ରକାର ରହି ନ ଥାଏ । ଗୋଟିଏ ସମୟରେ ଉଭୟଙ୍କ ମଧ୍ୟରେ ଦୂରତା ଅତ୍ୟନ୍ତ କମ୍ ହୋଇଯାଏ । ଆମେ ଏହାର ଫାଇଦା ଉଠାଇବୁ । ଅନ୍ୟପକ୍ଷରେ ଭାରତୀୟ ସ୍ପେଶ୍ ଷ୍ଟେସନ କାର୍ୟ୍ୟ ୨୦୨୮ରେ ଆରମ୍ଭ ହେବ । ଏହାର ମଡ୍ୟୁଲ୍ ୨୦୨୮ରେ ଲଞ୍ଚ୍ ହେବ । ଏଥିରେ କେବଳ ରୋବୋ ପଠାଯିବ । ଏହି ଷ୍ଟେସନରେ ଗୋଟିଏ ପରେ ଗୋଟିଏ ମୋଟ ୫ଟି ମଡ୍ୟୁଲ୍କୁ ମହାକାଶକୁ ପଠାଯିବ ବୋଲି ଡ. ସୋମନାଥ କହିଛନ୍ତି ।
Powered by Froala Editor