ମୋଦି ଓ ଯୋଗୀଙ୍କୁ ପ୍ରଶଂସା କରିବାରୁ ମୁହଁ ଜାଳିଦେଲେ ସ୍ୱାମୀ, ଦେଇ ଦେଲେ ତଲାକ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଉତ୍ତରପ୍ରଦେଶ ବହରାଇଚ ଜିଲା ମହୋଲ୍ଲା ସରାୟରେ ରହୁଥିବା ମରିୟମ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କୁ ଭାରି ପଡ଼ିଛି। ସ୍ତ୍ରୀ ମୁହଁରୁ ବିଜେପି ନେତାଙ୍କ ପ୍ରଶଂସା ଶୁଣି ସଙ୍ଗେ ସଙ୍ଗେ ସ୍ତ୍ରୀଙ୍କୁ ଟ୍ରିପଲ୍ ତଲାକ୍ ଦେଇଛନ୍ତି ସ୍ୱାମୀ। କେବେଳ ସେତିକି ନୁହେଁ ସେ ନିଜ ସ୍ତ୍ରୀଙ୍କୁ ମାର୍ପିଟ୍ କରିବା ସହ ଗରମ ଡାଲି ପକାଇ ମୁହଁ ଜାଳି ଦେଇଛନ୍ତି।
ଅଯୋଧ୍ୟାର କୋଟ୍ଓ୍ବଲି ନଗରରେ ରହୁଥିବା ଅର୍ସଦଙ୍କ ସହ ଗତବର୍ଷ ଡିସେମ୍ବର ୧୩ରେ ମରିୟମଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ମରିୟମ ଅଯୋଧ୍ୟା ଧାମ ଭ୍ରମଣ କରୁଥିଲେ, ସେତେବେଳେ ଅଯୋଧ୍ୟାର ରାସ୍ତା, ସୌନ୍ଦର୍ଯ୍ୟକରଣ, ବିକାଶ ଏବଂ ପରିବେଶ ତାଙ୍କୁ ପ୍ରଭାବିତ କରିଥିଲା। ସେଥିପାଇଁ ସେ ସ୍ବାମୀ ଅର୍ସଦଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଥିଲେ।
ଏଥିରେ ଅର୍ସଦ କ୍ଷୁବ୍ଧ ହୋଇ ମୋଦି, ଯୋଗୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା ସହ ମରିୟମଙ୍କୁ ତଲାକ୍, ତଲାକ୍, ତଲାକ୍ କହି ତାଙ୍କୁ ତିନି ତଲାକ୍ ଦେଇଥିଲେ। ତାଙ୍କୁ ଘରକୁ ନେବା ପରିବର୍ତ୍ତେ ସେ ତାଙ୍କ ବାପଘରକୁ ପଠାଇ ଦେଇଥିଲେ। ଏହା ପରେ ଅର୍ସଦ ନିଜ ପତ୍ନୀ ମରିୟମଙ୍କୁ ତାଙ୍କ ସହିତ ରଖିବାକୁ ମନା କରିଦେଇଥିଲେ। ହେଲେ ଲୋକେ ତାଙ୍କୁ ବୁଝାସୁଝା କରିବା ପରେ ସେ ତାଙ୍କୁ ଘରକୁ ଆଣିଥିଲେ। ହେଲେ ଘରକୁ ଆଣି ତାଙ୍କ ଉପରେ ଅର୍ସଦ ରାଗ ସୁଝାଇଥିଲେ। ତାଙ୍କୁ ମାର୍ପିଟ୍ କରିବା ଆରମ୍ଭ କରିଦେଇଥିଲେ।
ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଜରଓ୍ବାଲ ରୋଡ୍ ପୋଲିସ ଶନିବାର ଅର୍ସଦଙ୍କୁ ମିଶାଇ ତାଙ୍କ ପରିବାରର ୮ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି। କେବଳ ସ୍ବାମୀ ଅର୍ସଦ ନୁହନ୍ତି, ତାଙ୍କ ଶାଶୁ, ଶ୍ୱଶୁର, ନଣନ୍ଦ ଓ ଦିଅରଙ୍କ ବିରୋଧରେ ମଧ୍ୟ ମରିୟମ ଅଭିଯୋଗ କରିଛନ୍ତି।
Powered by Froala Editor