ନୂଆ ପେନସନ ସ୍କିମ୍ : ୨୫ ବର୍ଷ କାମ କରିଥିଲେ ମିଳିବ ପୂରା ପେନସନ୍
ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) କୁ ଅନୁମୋଦନ କରାଯାଇଛି। ସରକାର କହିଛନ୍ତି ଯେ, ୨୫ ବର୍ଷ କାମ କରିଥିବା କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ ମିଳିବ। ୟୁପିଏସ ଯୋଜନାରେ ୨୩ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ।
ଯଦି କୌଣସି କର୍ମଚାରୀଙ୍କ ଦେହାନ୍ତ ହୋଇଯିବ, ତା’ହେଲେ ଏହି ଯୋଜନା ଅଧୀନରେ ପାରିବାରିକ ପେନସନ ପାଇଁ ବି ବ୍ୟବସ୍ଥା ରହିବ। ମୃତକଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ୬୦% ଅର୍ଥ ପେନସନ ଆକାରରେ ପାଇବେ। ଯଦି ଜଣେ କର୍ମଚାରୀଙ୍କ ସେବା ୨୫ ବର୍ଷରୁ କମ୍ ଓ ସର୍ବାଧିକ ୧୦ ବର୍ଷ ହୋଇଥିବ, ତେବେ ସେ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ ଆକାରରେ ପାଇବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ। ଏହା ବ୍ୟତୀତ ସେମାନେ ସୁଧ ସହିତ ବକେୟା ଅର୍ଥ ମଧ୍ୟ ପାଇବେ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଦେଶରେ ଉପଲବ୍ଧ ଯୋଜନାକୁ ଦେଖିବା ପରେ ୟୁନିଫାଏଡ୍ ପେନସନ ଯୋଜନା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି। ସରକାରୀ କର୍ମଚାରୀମାନେ NPS ଓ UPS ମଧ୍ୟରୁ ଯେଉଁଟା ଚାହିଁବେ, ତାହା ନେଇପାରିବେ। କର୍ମଚାରୀମାନେ ଦୁଇଟି ପେନ୍ସନ୍ ସ୍କିମ୍ ମଧ୍ୟରୁ ଗୋଟିଏର ଲାଭ ଉଠାଇ ପାରିବେ।
ସେ ଆହୁରି କହିଛନ୍ତି, ଏହି ଯୋଜନାରେ କେନ୍ଦ୍ର ସରକାରଙ୍କର ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିସହିତ ୟୁପିଏସରେ ସରକାରଙ୍କ ଅବଦାନ ୧୮.୫% ହେବ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ ଲାଗୁ ହେବ।
Powered by Froala Editor