ଚିକିଟି ମଦ ମୃତ୍ୟୁ ଘଟଣାରେ ଗୃହରେ ଉତ୍ତର ରଖି ଏହା କହିଲେ ପୃଥ୍ୱୀରାଜ
ଭୁବନେଶ୍ୱର: ଚିକିଟି ମଦ ମୃତୁ୍ୟକୁ ନେଇ ଏବେ ବିଧାନସଭା ଉଠୁଛୁ ପଡ଼ୁଛି । ଏହାରି ଭିତରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏବାବଦରେ ଗୃହରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ କରାଯାଇଛି । ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି । ୩ ଜଣ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଦ ସାମ୍ପଲ ଓ ମୃତକଙ୍କ ଭିସେରା ଫୋରେନସିକ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଚିକିଟି ମଦ ମୃତ୍ୟୁକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଥିବାବେଳେ ଗୁରୁବାର ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଦ ମୃତୁ୍ୟର ଆରଡିସି ତଦନ୍ତ ହେବ ବୋଲି କହିଥିଲେ । ୨ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଆସିବ । ଏଥିସହ ଚୋରା ମଦ ବନ୍ଦ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ ବୋଲି ଅବକାରୀ ମନ୍ତ୍ରୀ କହିଥିଲେ। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।ବେଆଇନ ମଦ ଭାଟି ଏବଂ ବିକ୍ରି ସ୍ଥାନରେ ଚଢ଼ାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଚଢ଼ାଉ ଜାରି ରହିଛି।
Powered by Froala Editor