ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ
ରାଜ୍ୟ ସଭା ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ କାହିଁକି ନାମାଙ୍କନ ଦାଖଲ କଲେ, ତାହା ଜଣାପଡ଼ି ନାହିଁ।
ତାଙ୍କ ନାମାଙ୍କନରେ ୧୦ ଜଣ ବିଧାୟକ ପ୍ରସ୍ତାବକ ପଡ଼ିଛନ୍ତି। ଗୋଟିଏ ସେଟ୍ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ। ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି।
ଗତକାଲି ମମତା ମହାନ୍ତଙ୍କ ନାଁ ବିଜେପି ଘୋଷଣା କରିବା ପରେ ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ। ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
ଗତ ସାଧାରଣ ନିର୍ବାଚନରେ ଜଗନ୍ନାଥ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେପିର ପ୍ରାର୍ଥୀ ଥିଲେ। ତେବେ ମାତ୍ର 37 ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ। ତେବେ ରାଜ୍ୟରେ ବିଜେପିର ବିଧାୟକ ସଂଖ୍ୟାକୁ ଦୃଷ୍ଟି ଦେଲେ ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ। କିନ୍ତୁ ଆବଶ୍ୟକତା ପଡ଼ିଲେ ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହୋଇପାରେ। ଏହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
Powered by Froala Editor