ଲେଟେରାଲ ଏଣ୍ଟ୍ରି ବିଜ୍ଞାପନ ଉପରେ ରୋକ
ସଂରକ୍ଷଣକୁ ନେଇ ବିବାଦ ଉପୁଜିବା ପରେ ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରି ନିଷ୍ପତ୍ତି ଉପରେ ଲାଗିଲା ରୋକ୍। ଏହାକୁ ନେଇ ବିରୋଧୀ ଦଳମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ଚାରିଆଡ଼ୁ ବିରୋଧ କରାଯିବା ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଲେଟେରାଲ ଏଣ୍ଟ୍ରି ବିଜ୍ଞାପନ ଉପରେ ରୋକ ଲଗାଇବା ସହ ନିଷ୍ପତ୍ତି ଫେରାଇ ନେଇଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍ସି ଚେୟାରମ୍ୟାନ୍ ପ୍ରୀତି ସୁଦାନଙ୍କୁ ଚିଠି ଲେଖି ଏହି ବିଜ୍ଞାପନକୁ ରଦ୍ଦ କରିବାକୁ କହିଛନ୍ତି। ଚିଠିରେ ଜିତେନ୍ଦ୍ର ସିଂହ କହିଛନ୍ତି ଯେ 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ସମାନତା ଅଧିକାର ଅଧୀନରେ ଲାଟେରାଲ୍ ଏଣ୍ଟ୍ରୀ ନିଯୁକ୍ତି ମଧ୍ୟ କରାଯିବା ଉଚିତ। ବିଶେଷକରି ଦେଶରେ ସଂରକ୍ଷଣ ସହିତ କୌଣସି ଟ୍ୟାମ୍ପରିଂ ହେବା ଉଚିତ୍ ନୁହେଁ।'
ସୂଚନା ମୁତାବକ, ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ୪୫ ପଦ ପୂରଣ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବା ସହ ଆବେଦନ ଆହ୍ୱାନ କରିଥିଲେ । ଲାଟେରାଲ ଏଣ୍ଟ୍ରି ଭର୍ତ୍ତିରେ ବିନା ୟୁପିଏସସି ପରୀକ୍ଷାରେ ନିଯୁକ୍ତି ହୋଇଥାଏ । ଏଥିରେ ସଂରକ୍ଷଣର ନିୟମକୁ ମଧ୍ୟ ଫାଇଦା ମିଳିନଥାଏ । ଏହି ଭର୍ତ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏସସି, ଏସଟି, ଓବିସି ସଂରକ୍ଷଣରେ ରୋକ ଲଗାଉଥିବା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଥିଲେ ।
ତେବେ ଏହି ବିଜ୍ଞପ୍ତିକୁ ବାତିଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ବିଜ୍ଞପ୍ତିକୁ ଏନଡିଏର ଦୁଇ ସହଯୋଗୀ ଦଳ ଜେଡି(ୟୁ) ଓ ଏଲଜେପି ନିନ୍ଦା କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
Powered by Froala Editor