୩୨ ବର୍ଷ ପରେ ଆଜମେର ଗଣଦୁଷ୍କର୍ମ ମାମଲାର ରାୟ : ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ଦୀର୍ଘ ୩୨ ବର୍ଷ ପରେ ଆଜମେର ଗଣଦୁଷ୍କର୍ମ ମାମଲାର ରାୟ ଆସିଛି । ଏହି ମାମଲାରେ କୋର୍ଟ ୬ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ପୋକ୍ସୋ ସ୍ପେଶାଲ କୋର୍ଟ ନମ୍ବର ୨ ଏହି ରାୟ ଦେଇଛନ୍ତି।
୧୯୯୨ ମସିହାରେ ଅନେକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ତାହା ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଆପତ୍ତିଜନକ ଫଟୋ ଉଠାଇ ସ୍କୁଲ ଛାତ୍ରୀମାନଙ୍କୁ ବ୍ଲାକମେଲ କରି ଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତମାନେ ପ୍ରଥମେ ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରୁଥିଲେ ଏବଂ ଆପତ୍ତିଜନକ ଫଟୋ ଉଠାଇ ସେମାନଙ୍କୁ ବ୍ଲାକମେଲ କରୁଥିଲେ। ପୀଡିତା ନାବାଳିକା ଏବଂ ଯୁବତୀ ମାନଙ୍କର ବୟସ ପ୍ରାୟ ୧୧ ରୁ ୨୦ ଥିଲା। ସମସ୍ତ ୬ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
୩୨ ବର୍ଷ ପୂର୍ବେ ୧୦୦ ରୁ ଅଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିବାର ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରେ ନାଫିସ୍ ଚିସ୍ତି, ନାସିମ ଛଦ୍ମନାମ ଟାର୍ଜନ, ସଲିମ ଚିସ୍ତି, ଇକବାଲ ଭାଟି, ସୋହେଲ ଘାନି ଏବଂ ସୟଦ ଜାମିନ୍ ହୁସେନ୍ ସାମିଲ ଅଛନ୍ତି। ଏହି ଘଟଣା ଜଣାପଡିବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାରେ ସମୁଦାୟ ୧୯ ଜଣ ଅଭିଯୁକ୍ତ ଥିଲେ, ଯେଉଁଥିରୁ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଦଣ୍ଡିତ କରାଯାଇଛି। ଘଟଣାର ଦୁଇ ବର୍ଷ ପରେ ଅନ୍ୟ ଜଣେ ଅଭିଯୁକ୍ତ ୧୯୯୪ ରେ ଆତ୍ମହତ୍ୟା କରିଥିଲେ। ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବା କୁହାଯାଉଛି।
Powered by Froala Editor