ଟଙ୍କା ଭାଗ ବାଣ୍ଟି ଫସିଲେ ଟ୍ରାଫିକ୍ ପୁଲିସ ବାବୁ, ଭିଡିଓ ଭାଇରାଲ
ଟ୍ରାଫିକ ନିୟମ ଆଳରେ ଛୋଟ ଛୋଟ ଭୁଲରେ ଚାଲାଣ କାଟି ସାଧାରଣ ଜନତାଙ୍କ ଝାଳବୁହା ଧନକୁ ହଡ଼ପ କରୁଛନ୍ତି ୟୁନିଫର୍ମ ପିନ୍ଧା ଟ୍ରାଫିକ ପୁଲିସ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଟ୍ରାଫିକ ବାବୁ ଯାତ୍ରୀଙ୍କ ପାଖରୁ ଲାଞ୍ଚ ନେବା ପରେ ଏହାକୁ ଭାଗବାଣ୍ଟ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କ ସହିତ ତିନିଜଣ ଟ୍ରାଫିକ ପୁଲିସ କିଛି ସମୟ କଥା ହୋଇଥିଲେ। ଏହାପରେ ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ଜଣକ ଜଣେ ଟ୍ରାଫିକ ପୁଲିସକୁ କିଛି ଟଙ୍କା ବଢ଼ାଇ ଦେଇଥିଲେ। ଯାହାକୁ ଟ୍ରାଫିକ ପୁଲିସ ହାତରେ ନଧରି ବସିଥିବା ଖଟ ଉପରେ ରଖିବାକୁ କହିଥିଲେ। ପରେ ସେ ଏହାକୁ ଖୁବ ଚାଲାକ କରି ପର୍ସରେ ପୂରାଇ ଦେଇଥିଲେ । ଏହିଭଳି ବିଭିନ୍ନ ଯାତ୍ରୀଙ୍କ ପାଖରୁ ଲୁଟ୍ ହୋଇଥିବା ବା ଆଦାୟ ହୋଇଥିବା ଏହି ଟଙ୍କା ୩ ଜଣ ଟ୍ରାଫିକ ପୁଲିସ କର୍ମୀଙ୍କ ମଧ୍ୟରେ ପରେ ବାଣ୍ଟ ହୋଇଛି ।
ଏହି ସମୟର ଭିଡିଓକୁ କେହିଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଏହି ୩ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଏସ୍ଆଇ ହୋଇଥିବା ବେଳେ ଜଣେ ହେଡ୍ କନଷ୍ଟେବଲ ରହିଛନ୍ତି। ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକେ ଟ୍ରାଫିକ ପୁଲିସଙ୍କୁ ଟ୍ରୋଲ କରି କହିଛନ୍ତି, ‘ପୁଲିସ ବାବୁମାନେ କ’ଣ ଭାଗବଣ୍ଟା ଛିଣ୍ଡୁ ନାହିଁ।’
Powered by Froala Editor