ରାଜ୍ୟରେ ଡେଲଟା ପ୍ଲସ ଭାରିଏଣ୍ଟର ପ୍ରଥମ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଭୂତାଣୁର ମାରାତ୍ମକ ଡେଲଟା ପ୍ଲସ(ଏୱଇ.୧) ଭାରିଏଣ୍ଟର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲଟା ଭାରିଏଣ୍ଟ(ବି.୧.୬୧୭-୨) ଗ୍ରୁପର ଏହି ପରିବର୍ତିତ ରୂପ ‘ଡେଲଟା ପ୍ଲସ’ରେ ଆକ୍ରାନ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଦେବଗଡ଼ ଜିଲ୍ଲାର ଜଣେ ୬୫ବର୍ଷୀୟ ପୁରୁଷ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହାକୁ ନେଇ ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି । ଆସନ୍ତାକାଲି ଦେବଗଡ଼ ଜିଲ୍ଲା ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ସବିଶେଷ ବିବରଣୀ ରାଜ୍ୟ ସରକାରଙ୍କ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀଠାରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନସିଡିସି ପକ୍ଷରୁ ଦେଶରେ କେତୋଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ ହୋଇଛନ୍ତି, ସେନେଇ ସୂଚନା ଦିଆଯାଇଥିଲା । ଏଥିରେ ଓଡ଼ିଶାର କେବଳ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା କୁହାଯାଇଥିଲା । ଡେଲଟା ପ୍ଲସକୁ ବିଶ୍ୱସ୍ତରରେ ଭାରିଏଣ୍ଟ ଅଫ କନସର୍ଣ୍ଣ ବା ଭିଓସି ଭାବେ ଘୋଷଣା କରାଯାଇଛି ।
Powered by Froala Editor