ଭାରତର ପ୍ରଥମ ବିଜ୍ଞାନ ରତ୍ନ ପାଇବେ ପ୍ରଫେସର୍ ଗୋବିନ୍ଦରାଜନ
ଭାରତର ପ୍ରଥମ ବିଜ୍ଞାନ ରତ୍ନ ପୁରସ୍କାର ପାଇଁ ପ୍ରସିଦ୍ଧ ଜୈବ ରସାୟନବିତ୍ ଗୋବିନ୍ଦରାଜନ ପଦ୍ମନାଭନଙ୍କ ନାମକୁ ବୁଧବାର ଚୟନ କରାଯାଇଛି। ୩୩ ଜଣିଆ ତାଲିକାରେ ଜୈବ ରସାୟନ ପାଇଁ ବିଜ୍ଞାନ ରତ୍ନ ପାଇବେ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନ୍। ସେହିପରି ୧୩ ଜଣଙ୍କୁ ମିଳିବ ବିଜ୍ଞାନ ଶ୍ରୀ, ୧୮ ଜଣଙ୍କୁ ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ। ଚଳିତ ମାସ ଅଗଷ୍ଟ ୨୩ ତାରିଖ ତଥା ଜାତୀୟ ମହାକାଶ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ୭୪ ବର୍ଷୀୟ ଗୋବିନ୍ଦରାଜନ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ(ଆଇଆଇଏସ୍ସି)ର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ଏବେ ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଛନ୍ତି।
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷଠାରୁ କେନ୍ଦ୍ର ସରକାର ଏହି ସମ୍ମାନଜନକ ପୁରସ୍କାର ଆରମ୍ଭ କରିଛନ୍ତି। ଏହି ପୁରସ୍କାର ୪ଟି ବର୍ଗରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଥା ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ଏବଂ ବିଜ୍ଞାନ ଟିମ୍। ଏହି ସମ୍ମାନଜନକ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର' ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ।
Powered by Froala Editor