ନୀତି ଆୟୋଗ ବୈଠକରୁ ଉଠିଗଲେ ମମତା, କହିଲେ ‘୫ ମିନିଟ୍ ପରେ ମାଇକ୍ ମ୍ୟୁଟ୍’ କରି ଦିଆଗଲା କାହିଁକି?

ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ ମଝିରୁ ଉଠି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏବେ ଅଭିଯୋଗ ଆଣିଛନ୍ତି ଯେ ଯେତେବେଳେ ବୈଠକରେ ନିଜର ମତ ରଖିବାକୁ ଯାଇଥିଲେ ତାଙ୍କ ମାଇକ୍କୁ ବନ୍ଦ କରି ଦିଆଯାଇଥିଲା। ସେ ସେଠାରେ ପାଞ୍ଚ ମିନିଟରୁ ଅଧିକ ସମୟ ପାଇଁ କଥା କହି ପାରିନଥିଲେ। ଯାହାକି ଅପମାନଜନକ।
ନୀତି ଆୟୋଗ ବୈଠକକୁ ବହୁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବର୍ଜନ କରିଥିବା ବେଳେ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଏହି ବୈଠକରେ ମମତା ବାନାର୍ଜୀ ଯୋଗ ଦେଇଥିଲେ। ତେବେ ବୈଠକରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିବା ଅଭିଯୋଗ କରି ବର୍ଷିଛନ୍ତି ମମତା।
କେନ୍ଦ୍ର ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣି ସେ କହିଛନ୍ତି, ବୈଠକରେ ମୁଁ ମୋ’ ନିଜ ରାଜ୍ୟର ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବାକୁ ଚାହୁଁଥିଲି। ମାତ୍ର ବୈଠକରେ ମୋତେ କେବଳ ୫ ମିନିଟ୍ କହିବାକୁ ଅନୁମତି ମିଳିଲା।
ତୃଣମୂଳ କଂଗ୍ରେସ (ଟିଏମ୍ସି)ର ମୁଖ୍ୟ କହିଛନ୍ତି, “ମୋତେ ମାତ୍ର ପାଞ୍ଚ ମିନିଟ୍ କଥା ହେବାକୁ ଅନୁମତି ଦିଆଯାଇଥିବା ବେଳେ ମୋ ପୂର୍ବରୁ ଅନ୍ୟମାନେ ୨୦ ମିନିଟ୍ ଲମ୍ୱା କଥା ହୋଇଥିଲେ। ମୁଁ ମୋର ବିରୋଧ ପ୍ରଦର୍ଶନ କରି ବାହାରକୁ ଆସିଗଲି।” ବାନାର୍ଜୀ କହିଛନ୍ତି ଯେ ‘‘ମୁଁ ପଶ୍ଚିମବଙ୍ଗକୁ ଦିଆଯାଉ ନ ଥିବା କେନ୍ଦ୍ରୀୟ ପାଣ୍ଠି ବିଷୟରେ କହୁଥିଲି, ଯେତେବେଳେ ସେମାନେ ମୋର ମାଇକ୍ ମ୍ୟୁଟ୍ କରିଥିଲେ।’’
Powered by Froala Editor