ଆଜି ମଧ୍ୟରାତ୍ର ପରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ: ଆଜି ରାତିରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ଚନ୍ଦ୍ର ପଛରେ ଲୁଚିଯିବ ଶନି। ଏଭଳି ଏକ ବିରଳ ମହାଜାଗତିକ ଘଟଣା ଆଜି ମଧ୍ୟରାତ୍ର ପରେ ଦୃଶ୍ୟମାନ ହେବ। ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୩୦ ମିନିଟରୁ ଅଧିକ ସମୟ ପର୍ୟ୍ୟନ୍ତ ଶନି ଗ୍ରହ ଲୁଚିରହିବ। ଏହି ସମୟକୁ ଏକ ପ୍ରକାର ପରାଗ କୁହାଯିବ।
ସୂର୍ୟ୍ୟପରାଗ ସମୟରେ ଚନ୍ଦ୍ର ସୂର୍ୟ୍ୟକୁ ଘୋଡ଼ାଇ ରଖିଥାଏ। ଏଠି ଚନ୍ଦ୍ର, ଶନି ଗ୍ରହକୁ ଘୋଡ଼ାଇ ଦେବ। ମଣିଷ ଖାଲି ଆଖିରେ ଦେଖୁଥୁବା ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଭଳି ୫ଟି ଗ୍ରହ ମଧ୍ୟ ସୂର୍ୟ୍ୟ ଚାରିପଟେ ବୁଲୁଛନ୍ତି। ଯାହା ତାରା ଭଳି ଦେଖାଯାଆନ୍ତି। ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି ଫଳରେ ପୃଥିବୀ ସହ ଅନ୍ୟ ଦୁଇଟି ପିଣ୍ଡ ସମୟ ସମୟରେ ଏକ ସରଳରେଖାରେ ଚାଲିଆସନ୍ତି। ଯେତେବେଳେ ଲୂଚୁଥୁବା ପିଣ୍ଡଟିର ଆକାର ଲୁଚାଉଥୁଵବା ପିଣ୍ଡର ଆକାର ତୁଳନାରେ ଅନେକ ଗୁଣ ଛୋଟ ହୋଇଥାଏ, ସେତେବେଳେ ଏହାକୁ ସମାବରଣ କୁହାଯାଏ। ଚନ୍ଦ୍ର ପଛରେ ଲୁଚିଯାଉଥିବା ତାରା, ଗ୍ରହ, ଉପଗ୍ରହ ଅଥବା ନକ୍ଷତ୍ର ପୁଞ୍ଜ ସମାବରଣ ଖାଲି ଆଖିରେ ଦେଖାଯାଇଥାଏ। ସବୁ ବର୍ଷ ଚନ୍ଦ୍ର ପଛରେ କିଛି ତାରା ଓ ଗ୍ରହ ଲୁଚିଥାନ୍ତି। ଚନ୍ଦ୍ର ପଛରେ ଶନି ଗ୍ରହ ଲୁଚିବା ଓ ପୁନର୍ବାର ଧିରେ ଧିରେ ବାହାରିବା ଅତ୍ୟନ୍ତ ମନୋରମ ଦୃଶ୍ୟ। ଆକାଶ ମେଘ ମୁକ୍ତ ରହିଲେ ଓଡ଼ିଶାର ସବୁ ଅଞ୍ଚଳରୁ ଆଜି ମଧ୍ୟରାତ୍ର ପରେ ପ୍ରାୟ ସାଢ଼େ ଗୋଟାଏରୁ ୨ଟା ୩୭ମିନିଟ ମଧ୍ୟରେ ଏହାକୁ ଖାଲି ଆଖିରେ ଦେଖିହେବ।
Powered by Froala Editor