ଚାଷ କାମ ଦେଖିବାକୁ ଗାଁକୁ ଆସୁଥିଲେ, ମା' ପୁଅଙ୍କୁ ଦଳିଦେଲା ଟ୍ରେଲର

ପିଲାଙ୍କ ପାଠପଢା ପାଇଁ ପରିବାର ସହ ବାହାରେ ରହୁଥିଲେ । ଚାଷ କାମ ଦେଖିବାକୁ ଗାଁକୁ ଆସିଥିଲେ ମା’ଙ୍କ ସହ । କିନ୍ତୁ ରାସ୍ତାରେ ଜଗିରହିଥିଲା ଜମ । ଟ୍ରେଲର ଚାପାରେ ମା’ ଓ ପୁଅର ମୃତ୍ୟୁ ଘଟିଥିଲା । ଏଭଳି ମର୍ମନ୍ତଦ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ମହୁଲପାଲିି ଲଇଡ଼ାଗୁଣା ଛକ ନିକଟରେ । ମୃତକ ହେଲେ ମହୁଲପାଲି ଥାନା ତୁରେଇ ପଞ୍ଚାୟତ କୁର୍ମୁଲୋଇ ଗାଁର ସୁବାସିନୀ ନାୟକ ଓ ପୁଅ ସୁବ୍ରତ ନାୟକ । ସୁବ୍ରତଙ୍କୁ ମାତ୍ର ୩୬ ବର୍ଷ ହୋଇଥିବାବେଳେ ସୁବାସିନୀଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ ।
କୁର୍ମୁଲୋଇ ଗାଁର ସୁବ୍ରତ ପିଲାଙ୍କ ପାଠପଢ଼ା ପାଇଁ କୁଚିଣ୍ଡାରେ ଘରଭଡ଼ା ନେଇ ସପରିବାର ରହୁଥିଲେ । ଚାଷ ପାଇଁ ରବିବାର ସକାଳେ ମା\' ସୁବାସିନୀଙ୍କ ସହ ବାଇକ୍ରେ କୁଚିଣ୍ଡା ଆସୁଥିଲେ । ଏହି ସମୟରେ କୁଚିଣ୍ଡାରୁ କୁସୁମୀ ଯାଉଥିବା ଟ୍ରେଲର ସହ ବାଇକ୍ର ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ମା\' ଓ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇ ଡ୍ରାଇଭର ଟ୍ରେଲର ଧରି ଦ୍ରୁତ ଗତିରେ ଚମ୍ପଟ ମାରୁଥିବାବେଳେ କୁସୁମୀଠାରେ ଲୋକେ ଅଟକାଇ ପୁଲିସ୍ ଜିମା ଦେଇଥିଲେ ।
ସୁବ୍ରତଙ୍କ ପରିବାରରେ ସ୍ତ୍ରୀଙ୍କ ସହ ୧୦ ବର୍ଷର ପୁଅ ଓ ୪ ବର୍ଷର ଗୋଟିଏ ଝିଅ ଅଛନ୍ତି । ପରିବାରର ରୋଜଗାରକ୍ଷମ ବ୍ୟକ୍ତିର ଏଭଳି ଅକସ୍ମାତ୍ ବିୟୋଗକୁ ସେମାନେ ବିଶ୍ୱାସ କରିପାରୁ ନାହାନ୍ତି । ଖବର ପ୍ରଚାରିତ ହେବା ପରେ ଶହଶହ ଲୋକ ପହଞ୍ଚି ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ହେବା ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଯାନବାହନ ଅଟକି ରହିଥିଲା । ଏ ନେଇ ମହୁଲପାଲି ଥାନାରେ ଦୁର୍ଘଟଣା ମାମଲା ରୁଜୁ ହୋଇଛି ।
Powered by Froala Editor