ପୋଲ ତଳକୁ ଖସିଲା ମହାଦେବ ବସ୍

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ସୁନାଖାଇଠାରେ ଘଟିଛି ଛାତିଥରା ଦୁର୍ଘଟଣା । ଦେଖୁ ଦେଖୁ ପୋଲ ତଳଖୁ ଖସିପଡିଛି ବସ୍ । ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ସମେତ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ପୁଲିସ୍ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ‘ମହାଦେବ’ ନାମକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ବାହାରିଥିଲା । ବସ୍ରେ ପ୍ରାୟ ୪୦ଜଣ ଯାତ୍ରୀ ବସିଥିଲେ । ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତ ସୁନାଖାଇ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଲତଳକୁ ଖସିପଡ଼ିଥିଲା । ଏଥିରେ ପ୍ରାୟ ୧୫ରୁ ଅଧିକ ଯାତ୍ରୀ ଖଣ୍ଡିଆଖବରା ହୋଇଥିଲେ । ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିି ସମସ୍ତଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଗାଡ଼ିଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ଜଣେ ଯାତ୍ରୀଙ୍କୁ ବୁର୍ଲା ପଠାଯାଇଛି ।
Powered by Froala Editor