ଗାଈକୁ କଲରାପତରିଆ ବାଘର ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଜଗୁଆଳି
ଭୁବନେଶ୍ବର: ପାଳଲହଡା ଉପଖଣ୍ଡ ଖମାର ରେଞ୍ଜ ଇଞ୍ଜିଡ ପଞ୍ଚାୟତ ଅସନବାହାଳୀ ଜଙ୍ଗଲରେ ଗାଈ ଚରାଉଥିବା ବେଳେ ଶୁକ୍ରବାର ତିଳେଇପଶି ଗାଁର ଯୋଗେଶ୍ୱର ପରିଡା ଓ ଧରଣୀଧର ପ୍ରଧାନଙ୍କ ଦୁଇଟି ଗାଈକୁ କଲରାପତରିଆ ବାଘ ଆକ୍ରମଣ କରିଛି। ଗାଈର ଚିତ୍କାର ଶୁଣି ଗାଈ ଜଗୁଆଳି ଆସି ପାଟି କରିବାରୁ ଅଧମରା କରି ବାଘ ଗାଈଦ୍ବୟଙ୍କୁ ଛାଡି ଜଗୁଆଳିଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁଇଟି ଗାଈକୁ ଗୁରୁତର ଅବସ୍ଥାରେ ଗାଁକୁ ଆଣି ଚିକିତ୍ସା କରାଯାଉଛି। ଖବର ପାଇ ଖମାର ବନାଞ୍ଚଳ ଅଧିକାରୀ ମନୋଜକୁମାର ଟିଗା ଘଟଣାସ୍ଥଳକୁ ଯାଇ ବାଘର ପାଦଚିହ୍ନ ଓ ଶିକାର କରିଥିବା ସ୍ଥାନକୁ ଯାଇ ତଦନ୍ତ ଚଳାଇଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଜଙ୍ଗଲ ପାଖରେ ଥିବା ଗାଁ ଗୁଡିକୁ ଜଙ୍ଗଲକୁ ଗାଈ ଚରାଇବା ଓ ଜଙ୍ଗଲକୁ ନ ଯିବା ପାଇଁ ସଚେତନ କରାଇଛନ୍ତି। ଗୁରୁତର ଆହତ ଦୁଇଟି ଗାଈକୁ ଉତ୍ତମ ଚିକିତ୍ସା କରିବା ସହ କିପରି ବାଘକୁ ଅଞ୍ଚଳରୁ ଦୁରକୁ ପଠାଯିବ ସେଥିପାଇଁ ବନବିଭାଗ ତରଫରୁ କାର୍ଯ୍ୟ କରାଯାଉଛି ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଟିଗା ପ୍ରକାଶ କରିଛନ୍ତି। ବାଘର ଏପରି ଆକ୍ରମଣ ଖମାର ରେଞ୍ଜରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।
Powered by Froala Editor