ସଞ୍ଜୟ ହେଲେ ଜେଡିୟୁର କାର୍ଯ୍ୟକାରୀ ଅଧ୍ୟକ୍ଷ
ଜେଡିୟୁର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ଝା। ରାଜଧାନୀ ଦିଲ୍ଲୀରେ ବସିଥିବା ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ବୈଠକରେ ସଞ୍ଜୟ ଝାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି । ଏନେଇ ନୀତୀଶ କୁମାର ଘୋଷଣା କରିଛନ୍ତି ।
ବୈଠକ ପରେ ଦଳର ବରିଷ୍ଠ ନେତା ନୀରଜ କୁମାର କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଂସଦ ସଞ୍ଜୟ ଝାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଗୋଟିଏ ହେଲା ସଞ୍ଜୟ ଝାଙ୍କୁ କାର୍ଯ୍ୟକାରୀ ସଭାପତି କରିବା ଓ ଅନ୍ୟଟି ହେଲା ଜେଡିୟୁ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏରେ ରହିବ।”
ଅନ୍ୟପଟେ ବିହାରକୁ ସ଼୍ବତନ୍ତ୍ର ରାଜ୍ୟ କିମ଼୍ବା ସ଼୍ବତନ୍ତ୍ର ପ୍ୟାକେଜ୍ ମିଳିବା ନେଇ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ନିକଟରେ ଏଥିପାଇଁ ଜେଡିୟୁ ଦାବି ଉପସ୍ଥାପନ କରିବ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି ।
ଗତବର୍ଷ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁର ଦାୟିତ୍ୱ ନେଇଥିଲେ। ଗତବର୍ଷ ଡିସେମ୍ବରରେ ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶ କୁମାର ଜେଡିୟୁର ସଭାପତି ହୋଇଥିଲେ। ଏହାପୂର୍ବରୁ ରାଜୀବ ରଞ୍ଜନ ଓରଫ ଲଲନ ସିଂହ ଜେଡିୟୁ କମାଣ ସମ୍ଭାଳିଥିଲେ।
Powered by Froala Editor