ନୂଆ ବାଚସ୍ପତିଭାବେ ସୁରମା ପାଢୀ ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତିଭାବେ ସୁରମା ପାଢୀ ନିର୍ବାଚିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ସର୍ବସମ୍ମତି କ୍ରମେ ସୁରମା ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଏକାକୀ ନାମାଙ୍କନ ଦାଖଲ କରିଥିବାବେଳେ ସେ ଆଜି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିସହ ସେ ଆଜି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଦାୟିତ୍ୱ ଗ୍ରହଣ କରିବା ପରେ ସୁରମା ପାଢ଼ୀ ଗୃହ ପରିଚାଳନା କରିଛନ୍ତି । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାଛଡ଼ା ବିଜେଡି ବିଧାୟକଦଳ ନେତା ନବନୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ଓ ସିପିଏମ ବିଧାୟକ ଦଳ ସଦସ୍ୟ ମଧ୍ୟ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ୟ୍ୟ ଆରମ୍ଭ କରିଥିଲେ । ୨୦୦୦ ମସିହାରେ ଏହି ପଦରେ ରହିଥିଲେ । ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୦୪ ମସିହାରେ ଓଡ଼ିଶା ନିର୍ବାଚନରେ ସୁରମା ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ। ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ୟ୍ୟ କରିଥିଲେ। ସୁରମା ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ ।
ପରେ ସେ ୨୦୦୯ , ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୪ ରେ ପୁଣି ଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ।
Powered by Froala Editor