୨୪ରେ କଂଗ୍ରେସ ଉଚ୍ଚସ୍ତରୀୟ ବୈଠକ : ଦର ବୃଦ୍ଧି ବିରୁଦ୍ଧରେ ହୋଇପାରେ ରଣନୀତି ପ୍ରସ୍ତୁତ

୨୪ ତାରିଖରେ ବସିବ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ବର୍ତ୍ତମାନ ଜାରି ରହିଥିବା ରାଜନୈତିକ ସ୍ଥିତିକୁ ନେଇ ଆଲୋଚନା ହେବ । ଏଆଇସିସି ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟର ଦାୟିତ୍ବରେ ଥିବା ପଦାଧିକାରୀଙ୍କ ସହ ବୈଠକରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । କଂଗ୍ରେସ ମହାସଚିବ, ସମସ୍ତ ରାଜ୍ୟ ପ୍ରଭାରୀ, ରାଜ୍ୟ ପିସିସି ଅଧ୍ୟକ୍ଷମାନଙ୍କୁ ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବିଶେଷ କରି ପଞ୍ଜାବ ସ୍ଥିତି ସମୀକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ହେବ ଆଲୋଚନା ।
କେନ୍ଦ୍ରର ମୋଦି ସରକାରଙ୍କୁ ଘେରିବା ପାଇଁ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଏବଂ ମହଙ୍ଗା ମାଡ ବିରୁଦ୍ଧରେ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । କିଛି ଦିନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ପ୍ରଦର୍ଶନ କରିଥିଲା କଂଗ୍ରେସ । କିନ୍ତୁ ବର୍ତ୍ତମାନ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏଥିପାଇଁ ପୁଣିଥରେ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବାକୁ ଯୋଜନା କରୁଛି ।
କରୋନା ସଂକ୍ରମଣ ସମ୍ପର୍କରେ କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିବା ସର୍ଭେ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନ ପରି ପ୍ରସଙ୍ଗ ସମେତ ଅନ୍ୟାନ୍ୟ ସାମ୍ପ୍ରତିକ ପ୍ରସଙ୍ଗ ତଥା ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯିବ ।
ସେପଟେ ବଢିଛି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଅଡୁଆ । ହାଇକମାଣ୍ଡଙ୍କ ସହ ଆଲୋଚନା ଲାଗି ଦିଲ୍ଲୀରେ ପହଞ୍ଚିଛନ୍ତି କ୍ୟାପଟେନ । ରାଜ୍ୟରେ ତାଙ୍କ ବିରୋଧରେ ଦେଖାଦେଇଥିବା ବିଦ୍ରୋହ ପରିପ୍ରେକ୍ଷୀରେ ତାଙ୍କୁ ଦିଲ୍ଲୀ ଡକରା ହୋଇଛି । କିଛି ଦିନ ତଳେ ରାଜ୍ୟରେ ଦେଖାଦେଇଥିବା ବିଦ୍ରୋହକୁ ସମାଧାନ କରିବା ଲାଗି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ୩-ଜଣିଆ କମିଟି ଗଠିତ ହୋଇଥିଲା ।
ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସର ଗୋଷ୍ଠୀ ବିବାଦ ଦଳ ଲାଗି ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଦଳିତଙ୍କୁ ଉପଯୁକ୍ତ ସ୍ଥାନ ନ ମିଳିବା, ମୁଖ୍ୟମନ୍ତ୍ରୀଙ୍କ କୋଟେରି ନୀତି ଯୋଗୁ ତାଙ୍କ ନିକଟରେ ସାଧାରଣ ଜନତା ପହଞ୍ଚି ନ ପାରିବା ଆଦି କାରଣକୁ ନେଇ ଦଳରେ ଅମରିନ୍ଦରଙ୍କୁ ବିରୋଧ କରାଯାଇ ଆସୁଛି । କଂଗ୍ରେସରେ ଜାରି ରହିଥିବା ଅନ୍ତଃକନ୍ଦଳ ବାବଦରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି ।
Powered by Froala Editor