୪ ଧାମ ମନ୍ଦିରକୁ ମୋବାଇଲ ନେଇପାରିବେନି, ଲାଗିଲା ପ୍ରତିବନ୍ଧକ
ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ୨୦୨୪କୁ ନେଇ ଏକ ବଡ଼ ଖବର ଆସିଛି। ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ବି ବ୍ୟବସ୍ଥା ବଜାୟ ରଖିବାକୁ ଚାରିଧାମର ୨୦୦ମିଟର ପରିଧି ଭିତରେ ମୋବାଇଲ୍ ଫୋନ୍ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ।
କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ। ୪ଟି ଧାମରେ ମଧ୍ୟ ମନ୍ଦିରର ୨୦୦ ମିଟର ମଧ୍ୟରେ ମୋବାଇଲ ଫୋନ୍ ଆଣିବା ଉପରେ କଟକଣା ଲଗାଯାଇଛି। ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ସମସ୍ତ ଶ୍ରଦ୍ଧାଳୁଙ୍କୁ ରେଜିଷ୍ଟ୍ରେସନ କରାଇବା ପରେ ଚାରିଧାମ ଯାତ୍ରାରେ ଆସିବାକୁ ପରାମର୍ଶ ଦେଇଛନ୍ତି । ଏପରି ନ କଲେ ସେମାନଙ୍କୁ ରାସ୍ତାରୁ ଫେରାଇ ଦିଆଯିବ ।
ରାଧା ରତୁରୀ କହିଛନ୍ତି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଚାରିଧାମ ଯାତ୍ରା ଲାଗି ଆସୁଛନ୍ତି । ଏହି ସମୟରେ ଏପରି ବି ବହୁ ଲୋକ ଆସୁଛନ୍ତି ଯେଉଁମାନେ ଭକ୍ତି କି ଶ୍ରଦ୍ଧା ପାଇଁ ନୁହେଁ କେବଳ ବୁଲିବା ପାଇଁ ଆସୁଛନ୍ତି । ତେଣୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା କିପରି ବ୍ୟାହତ ନ ହେବ ତାହାକୁ ଦୃଷ୍ଟିରେ ରଖି ଚାରି ଧାମରେ ମୋବାଇଲ୍ ବ୍ୟାନ୍ କରାଯାଇଛି ।
ସେହିପରି ଋଷିକେଶରେ ଚାରିଧାମ ଯାତ୍ରାରେ ଯାଉଥିବା ଯାନବାହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ଗଡ଼ୱାଲ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକାଳୀ ଚେକ୍ ପୋଷ୍ଟରେ ସ୍ଲଟ୍ ଅଧୀନରେ ଯିବାକୁ ଅନୁମତି ଦିଆଯିବ। ପରିବହନ ବିଭାଗ ଯାନବାହନ ଯାଞ୍ଚ କରୁଛି।
Powered by Froala Editor