ହସ୍ପିଟାଲ ଯାଉଥିବା ବେଳେ କାରରେ ଫାର୍ମାସିଷ୍ଟଙ୍କୁ ହୃଦଘାତ
ଡିୟୁଟି ପାଇଁ ହସ୍ପିଟାଲ ଯାଉଥିବା ବେଳେ ବାଟରେ ଜଣେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଫାର୍ମାସିଷ୍ଟଙ୍କ ନାମ ପ୍ରମୋଦ ଯାଦବ। ଆମ୍ବେଦକର ନିବାସୀ ପ୍ରମୋଦ ପ୍ରୟାଗରାଜର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ସେ ଘର ଭଡ଼ା ନେଇ ଏକୁଟିଆ ରହୁଥିବା ବେଳେ ପ୍ରତିଦିନ କାର୍ ଧରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି।
ଘଟଣା ଦିନ ବି ସେ କାର୍ ଧରି ଘରୁ ବାହାରିଥିଲେ। ମାତ୍ର କିଛି ବାଟ ଯିବା ପରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲେ। ଫଳରେ ସେ ଗାଡ଼ିକୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଛିଡ଼ା କରି ଦେଇଥିଲେ। ଏହାର କିଛି ସମୟ ପରେ ସେ ଆଖି ବୁଜି ଦେଇଥିଲେ। ପ୍ରମୋଦ କୁମାର ଗୋଟିଏ ପାର୍ଶ୍ୱକୁ ମୁଣ୍ଡ ଝୁଲାଇ ରଖିଥିବା ଦେଖଣାହାରୀ ଦେଖିବା ପରେ ସେମାନଙ୍କ ସନ୍ଦେହ ହୋଇଥିଲା। ସେମାନେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି କାର ଭିତର ଦେଖିବା ପରେ ପ୍ରମୋଦ ଅଚେତ ଅବସ୍ଥାରେ ପଡ଼ିଥିଲେ। ଏହାପରେ ପୁଲିସ ପ୍ରମୋଦଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମୋଦଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ବ୍ୟବଚ୍ଛେଦ ପରେ ପ୍ରମୋଦଙ୍କ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ।
Powered by Froala Editor