୩.୦୨ କୋଟିର ମାଲିକ ମୋଦି, କିନ୍ତୁ ନାଁରେ ନାହିଁ ଜମି, ଘର, କାର୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଏମଏ ଡିଗ୍ରୀ ହାସଲ କରିଥିବା ସତ୍ୟପାଠରେ କହିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଆର୍ଟସ ଡିଗ୍ରୀ ୧୯୭୮ରେ ହାସଲ କରିଛନ୍ତି। ୧୯୬୭ରେ ମୋଦି ଗୁଜରାଟ ବୋର୍ଡରୁ ଏସଏସସି ପରୀକ୍ଷା ପାସ କରିଥିଲେ।
ତାଙ୍କ ସମ୍ପତ୍ତି ବିବରଣୀ ମଧ୍ୟ ସାର୍ବଜନୀନ କରିଛନ୍ତି। ସତ୍ୟପାଠ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୩.୦୨ କୋଟି ଟଙ୍କାର ମାଲିକ। ୨୦୧୪ ଓ ୨୦୧୯ ଅପେକ୍ଷା ମୋଦିଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି। ୨୦୧୯ରେ ମୋଦିଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି ରହିଥିଲା। ୨୦୧୪ ସତ୍ୟପାଠରେ ମୋଦି ୧.୬୬ କୋଟି ଟଙ୍କାର ମାଲିକ ବୋଲି ଉଲ୍ଲେଖ କରିଥିଲେ।
୨୦୨୪ରେ ମୋଦିଙ୍କ ସମ୍ପତ୍ତିର ମୂଲ୍ୟ ୩.୦୨ କୋଟି ଟଙ୍କାରେ ପହଞ୍ଚିଛି। ମୋଦିଙ୍କ ପାଖରେ ୪ଟି ସୁନା ମୁଦି ରହିଛି। ଏହାର ମୂଲ୍ୟ ୨.୬୭ ଲକ୍ଷ ଟଙ୍କା। ସେହିପରି ସେ ନ୍ୟାଶନାଲ ସେଭିଙ୍ଗ୍ସ ସାର୍ଟିଫିକେଟରେ ୯.୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ୨୦୧୯ରେ ଏନଏସ୍ସିରେ ମୋଦିଙ୍କୁ ନିବେଶ ପରିମାଣ ୭.୬୧ ଲକ୍ଷ ଟଙ୍କା ଥିଲା। ୫ ବର୍ଷ ଭିତରେ ଏଥିରେ ୨ ଲକ୍ଷ ଟଙ୍କାର ଅଭିବୃଦ୍ଧି ହୋଇଛି।
ସତ୍ୟପାଠରେ କୁହାଯାଇଛି ଯେ ମୋଦିଙ୍କ ପାଖରେ ଏବେ ନଗଦ ୫୨,୯୨୦ ଟଙ୍କା ରହିଛି। ତେବେ ତାଙ୍କ ମାଲିକାନାରେ କୌଣସି କାର, ଜମି କିମ୍ବା ଘର ନାହିଁ। ମୋଦି ତାଙ୍କ ପତ୍ନୀଙ୍କ ନାଁ ଯଶୋଦାବେନ ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ସ୍ତ୍ରୀଙ୍କ ଆୟ ସମ୍ପର୍କରେ କିଛି ଜାଣି ନ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ସ୍ତ୍ରୀଙ୍କ ପ୍ରଫେସନ ସମ୍ପର୍କରେ ମୋଦି ଜାଣି ନାହାନ୍ତି।
Powered by Froala Editor