ଭୋଟ୍ ବେଳେ ବୁର୍ଖା ଟେକିବାକୁ ବାଧ୍ୟ କରି ଫସିଲେ ମାଧବୀ
ଲୋକସଭା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପ୍ରାର୍ଥୀ ନେତ୍ରୀ ମାଧବୀ ଲତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପୋଲିଂ ବୁଥରେ ସେ ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଭଳି ଭୋଟ ଦେବାକୁ ଆସିଥିବା ମୁସଲିମ ମହିଳାଙ୍କ ପରିଚୟପତ୍ର ଯାଞ୍ଚ କରିଛନ୍ତି। ଭୋଟ ପାଇଁ ବସିଥିବା ମହିଳାଙ୍କ ଭୋଟର କାର୍ଡ ଯାଞ୍ଚ କରୁଥିବା ସହିତ ମାଧବୀ ଭୋଟରଙ୍କ ବୁର୍ଖା ବି ହଟାଉଥିବା ଦେଖିବାକୁ ମିଳୁଛି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି। ଏହି ଭାଇରାଲ ଭିଡିଓଟି ହାଇଦ୍ରାବାଦର ପୁରୁଣା ସହରର ପୋଲିଂ ବୁଥର ବୋଲି କୁହାଯାଉଛି।
ଦେଶ ଆଜି ୪ର୍ଥ ପର୍ଯ୍ୟାୟରେ ୯୬ଟି ଲୋକସଭା ଆସନ ପାଇଁ ଭୋଟ ଦେଉଛି। ଏହା ମଧ୍ୟରେ ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଲୋକସଭା ଆସନ ମଧ୍ୟ ରହିଛି। ଏଠାରେ ମାଧବୀ ଲତା ବିଜେପିର ପ୍ରାର୍ଥୀ । ମାଧବୀ ଭୋଟ ଦେବା ପରେ କିଛି ପୋଲିଂ ବୁଥ ବୁଲି ଦେଖିଥିଲେ। ଏତିକି ବେଳେ ସେ ଗୋଟିଏ ପୋଲିଂ ବୁଥରେ ମୁସଲିମ ମହିଳାମାନଙ୍କୁ ବୁର୍ଖା ଟେକି ନିଜର ପରିଚୟପତ୍ର ଦେଖାଇବାକୁ ବାଧ୍ୟ କରିଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।
ଭିଡିଓ ଆଧାରରେ ଆଇପିସି ଓ ଜନପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ହୋଇଛି। ହାଇଦ୍ରାବାଦ ଜିଲ୍ଲାପାଳ ଅଫିସ ପକ୍ଷରୁ ଏନେଇ ନିଶ୍ଚିତ କରାଯାଇଛି। ମାଲାକପେଟ ପୁଲିସ୍ ଷ୍ଟେସନରେ ମାମଲା ହୋଇଥିବା ଜିଲ୍ଲାପାଳଙ୍କ ଅଫିସ ସୂଚନା ଦେଇଛି।
Powered by Froala Editor