ବର୍ଷକରେ ୩୧% ବଢିଲାଣି ଡାଲି ଦର, ଆଗକୁ ଆହୁରି ବଢ଼ିପାରେ

ଏବେ ସବୁଆଡେ ନିର୍ବାଚନୀ ହାୱା ଗରମ ଅଛି । ହେଲେ ନିର୍ବାଚନୀ ହାୱା ସାଙ୍ଗକୁ ଡାଲି ଦରଦାମ ବି ବଜାରରେ ନିଆଁ ଲଗାଇଲାଣି । ମାତ୍ର ବର୍ଷକ ମଧ୍ୟରେ ଘରୋଇ ବଜାରରେ ଡାଲି ଦରରେ ୩୧ ପ୍ରତିଶତ ବୃଦ୍ଧି ଘଟିଛି। ଓଡ଼ିଶା ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଡାଲି ଦର ବୃଦ୍ଧି ପାଇଁ କର୍ପୋରେଟ୍ ସଂସ୍ଥା ଦାୟୀ। କର୍ପୋରେଟ୍ ସଂସ୍ଥାଗୁଡିକ ଅଧିକ ମାତ୍ରାରେ ସାମଗ୍ରୀ ମହଜୁଦ କରି ଯେଭଁଭଳି ଭାବେ ମନମାନୀ କରୁଛନ୍ତି ସେଥିରେ ଖୁଚୁରା ବଜାରରେ ଦର ବୃଦ୍ଧି ଘଟୁଛି।
କେବଳ ହରଡ ଡାଲି ନୁହେଁ, ବିରି ଡାଲି ମୂଲ୍ୟ ମଧ୍ୟ ପ୍ରାୟ ବର୍ଷକ ମଧ୍ୟରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ଘରୋଇ ବଜାରରେ ହରଡ ଡାଲି କିଲୋ ପିଛା ଦର ୧୬୫ରୁ ୧୭୦ ଟଙ୍କା ରହିଛି। ଆଗକୁ ଦର ଆହୁରି ବଢ଼ିବପାରେ। ଘରୋଇ ବଜାରରେ ଖାଉଟିଙ୍କ ଡାଲି ଚାହିଦା ପୂରଣ କରିବା ପାଇଁ ୧୯୮୧ ପରଠାରୁ ଦେଶ ଡାଲି ଆମଦାନୀ କରିଆସୁଛି। ଆମର ବାର୍ଷିକ ଡାଲି ଚାହିଦାର ପ୍ରାୟ ୧୦ ପ୍ରତିଶତ ତାଞ୍ଜାନିଆ, ମୋଜାମ୍ବିକ ଏବଂ ମିଆଁମାର ଭଳି ଦେଶରୁ ଆସିଥାଏ।
ଡାଲି ଚାଷ ସାଧାରଣତଃ ଜଳସେଚନ ମାଧ୍ୟମରେ କରାଯାଏନାହିଁ। ଏଭଳି ପରିସ୍ଥିତିରେ ମୌସୁମୀ ସମୟ ଆସିବା ଏବଂ ଯିବା ଜରୁରୀ। ଯେ କୌଣସି ପରିବର୍ତ୍ତନ ଅମଳ ଉପରେ ବହୁ ପରିମାଣରେ ପ୍ରଭାବ ପକାଇପାରେ। ତେବେ ଚଳିତବର୍ଷର ଡାଲି ଫସଲ କେତେକାଂଶରେ ଅନୁକୂଳ ବର୍ଷା ଉପରେ ନିର୍ଭର କରୁଛି। ଯଦି ଗତ ଥର ଭଳି ଏଥର ଜଳବାୟୁ ଭଲ ନ ରୁହେ ତେବେ ଡାଲି ଫସଲ କ୍ଷତିଗ୍ରସ୍ଥ ହେବ। ଏହାହେଲେ ଆଗାମୀ ଦିନରେ ବଜାରରେ ଡାଲି ଦର ଆହୁରି ବୃଦ୍ଧି ଘଟିବ।
Powered by Froala Editor