ବର ଗାଡ଼ିରେ ଲାଗିଗଲା ନିଆଁ, ବର ସମେତ ଜୀଅନ୍ତା ଜଳିଗଲେ ୪ ଜଣ
ନୂଆଦିଲ୍ଲୀ: କନିଆ ଘରକୁ ଯିବା ଅଧାରେ ରହିଗଲା। ଏକ ଟ୍ରକ୍ ପିଟିବାରୁ ବର ଗାଡ଼ିରେ ଲାଗିଗଲା ନିଆଁ। ଘଟଣାସ୍ଥଳରେ ବର ସମେତ ୪ ଜଣ ଜୀଅନ୍ତା ଜଳିଗଲେ।ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଉତ୍ତରପ୍ରଦେଶର ଝାନସୀ ସହରର ଝାନସୀ- କାନପୁର ହାଇୱେରେ ଘଟିଛି। ମୃତକଙ୍କ ମଧ୍ୟରେ ବର ଆକାଶ, ବରଙ୍କ ସମ୍ପର୍କୀୟ ଭାଇ, ୭ ବର୍ଷୀୟ ପୁତୁରା ଓ କାର୍ ଚାଳକ ଅଛନ୍ତି।
ଝାନସୀ ଥାନା ଅଧୀନ ବିଲାଟି ଗାଁର ଆକାଶଙ୍କର ଛପାର ଗାଁରେ ବିବାହ ସ୍ଥିର ହୋଇଥିଲା। ଏଥିନିମନ୍ତେ ୧୦ ତାରିଖ ଦିନକୁ ନିର୍ଦ୍ଧାରିତ କରାଯାଇଥିଲା। ଗତକାଲି ବାଜା ରୋଷଣୀ ବଜାଇ ବାଣ ଫୁଟାଇ ବର ଯାତ୍ରୀଙ୍କ ସହ ବାହାରିଥିଲେ ଆକାଶ। ମାତ୍ର ମଝି ରାସ୍ତାରେ ହଠାତ୍ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ କାର୍କୁ ଧକ୍କା ଦେବା ସହ ତା’ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା।
ଉକ୍ତ ସମୟରେ କାର୍ରେ ୬ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଓ ପଛରେ ଆସୁଥିବା ବର ଯାତ୍ରୀ ମିଶି ବାହାର କରିଥିଲେ। ମାତ୍ର ଆଉ ୪ ଜଣଙ୍କୁ ବାହାର କରି ନ ପାରିବାରୁ ସେମାନେ ଜୀଅନ୍ତା ଜଳି ଯାଇଥିଲେ ।
Powered by Froala Editor