୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍ କରିବୁ: ମୋଦୀ
ବ୍ରହ୍ମପୁର: ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି। ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି। ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି। ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ। ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ମୁଖ୍ୟମନ୍ତ୍ରୀ ବନିବ। ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ। ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍ କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ଆୟୋଜିତ ବିଶାଳ ସଭାରେ ଏକଥା କହିଛନ୍ତି।
ସେ ଆହୁରି କହିଛନ୍ତି, ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି। ଏଭଳି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ କିଛି କଳାକାରଙ୍କ କଳାକୃତିକୁ ନେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି। ସେ କହିଛନ୍ତି, ଏଠାକାର ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି। ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ।ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ। ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର। ଠିକ୍ ସେହିପରି ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ। ତେଣୁ ଓଡ଼ିଶାରେ ଏଥର ବିଜେପି ସରକାର ହେବା ବହୁତ ଜରୁରୀ। ୧୦ ବର୍ଷରେ ଓଡ଼ିଶାକୁ ସାଢେ ୩ ଲକ୍ଷକୋଟିରୁ ଅଧିକ ଟଙ୍କା ଦେଇଛି କେନ୍ଦ୍ର ସରକାର।
ଏଣେ ଅଧିକରୁ ଅଧିକ ଘରକୁ ଯିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନରେନ୍ଦ୍ର ମୋଦୀ ଜୟ ଜଗନ୍ନାଥ ଜଣାଇଥିବା, ପ୍ରତି ଘରକୁ ଯାଇ ଜଣାନ୍ତୁ। ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ। ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ । ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦୀ ସରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ଆୟୋଜିତ ବିଶାଳ ସଭାରେ ଆହୁରି କହିଛନ୍ତି,ମୋଦୀ ସରକାର ମାଗଣା ଚାଉଳ ଦେଉଛି, ଏଠାକାର ବିଜେଡି ସରକାର ସେଥିରେ ନିଜ ଫଟୋ ଛାପୁଛି। ନିଜେ ବିଜେଡି ସରକାର କିଛି କରିନାହାନ୍ତି, ତେଣୁ ଏଭଳି ବେଇମାନୀ କରିବାକୁ ପଡୁଛି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି। ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି। ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର।
Powered by Froala Editor