ଜୟାପ୍ରଦାଙ୍କୁ ପଳାତକ ଘୋଷଣା କଲେ ସ୍ୱତନ୍ତ୍ର କୋର୍ଟ
ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ସ୍ବତନ୍ତ୍ର କୋର୍ଟ ପଳାତକ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆଚରଣ ବିଧିର ଉଲ୍ଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ସେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ୭ ଥର ଜାମିନବିହୀନ ଗିରଫ ପରଓ୍ବାନା ଜାରି ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇ ନ ଥିଲେ। ଫଳରେ ସ୍ବତନ୍ତ୍ର ଏମ୍ପି ଏମ୍ଏଲ୍ଏ କୋର୍ଟ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।
୨୦୧୯ରେ ଲୋକସଭା ନିର୍ବାଚନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ତାଙ୍କ ନାମରେ ୨ଟି ମାମଲା ରାମପୁରରେ ରୁଜୁ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟାଙ୍କୁ ଫେବୃଆରି ୧୨ରେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚିବାକୁ କୁହାଯାଇଥିଲା। ଏହାପରେ କୋର୍ଟ ସମନ ଜାରି କରି ଉଭୟ ମାମଲାରେ ଜୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତାଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ନହେବାରୁ ମଙ୍ଗଳବାର ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଫେରାର ଘୋଷଣା କରିଛନ୍ତି କୋର୍ଟ ।
Powered by Froala Editor