ଡାକ୍ତରଖାନାକୁ ବର୍ଷକର ଶିଶୁ ଗାଏବ
ବର୍ଷକର ଶିଶୁକୁ ନେଇ ଡାକ୍ତରଖାନାକୁ ଆସିଥିଲେ ମହିଳା । ହେଲେ ଶିଶୁକୁ କେହି ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
ଅଭିଯୋଗ ଅନୁସାରେ ସିମୁଳିଆ ଥାନା ବାଲିକଣା ଗ୍ରାମର ପ୍ରତିମା ମୁର୍ମୁ ସୋର ପୌରାଞ୍ଚଳ ଢିପାସାହି ସ୍ଥିତ ନିଜ ବାପା ଘରକୁ ଆସିଥିବା ବେଳେ ତାଙ୍କର ୧ ବର୍ଷର ଶିଶୁପୁତ୍ର ଏବଂ ତାଙ୍କ ଭଉଣୀସହ ଜଣେ ଓକିଲଙ୍କ ସହିତ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଓକିଲ ଜଣଙ୍କ ତାଙ୍କ ଶିଶୁପୁତ୍ରକୁ ଜଣେ ମହିଳାଙ୍କୁ ଧରିବାକୁ ଦେବା ପାଇଁ କହିଥିଲେ। ଏଥିରେ ପ୍ରତିମା ରାଜି ନ ହେବାରୁ ଓକିଲ ଜଣଙ୍କ ତାଙ୍କୁ ଦେବା ପାଇଁ ବାଧ୍ୟ କରିଥିଲେ। ପ୍ରତିମା ଶିଶୁପୁତ୍ରଙ୍କୁ ମହିଳା ଜଣଙ୍କୁ ଦେଇ ଓକିଲଙ୍କ ସହ ଡାକ୍ତରଖାନାର ଉପର ମହଲାକୁ ଯାଇଥିଲେ। ସେଠାରୁ ଫେରିବା ପରେ ପ୍ରତିମା ଶିଶୁପୁତ୍ର ସହ ଉକ୍ତ ମହିଳାଙ୍କୁ ସେଠାରେ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ନିରାଶ ହୋଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଛି । ଡାକ୍ତରଖାନାର ସିସଟିଭି ଯାଞ୍ଚ କରିବା ପରେ ସତ ଜଣାପଡିବ ବୋଲି କୁହାଯାଉଛି । ତେବେ ପ୍ରତିମା କାହିଁକି ଓକିଲଙ୍କ ସହ ଆସିଥିଲେ ସେ କଥା ଜଣାପଡିନି ।
Powered by Froala Editor