ଆଜି ପ୍ରଦାନ କରାଯିବ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ। ବୁଧବାର ପ୍ରାୟ ୬ ହଜାର ପ୍ରତିଭାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଜିଲ୍ଲା ଓ ବ୍ଲକସ୍ତରୀୟ ପୁରସ୍କାରକୁ ମିଶାଇ ସମୁଦାୟ ୫୪ ହଜାରରୁ ଅଧିକ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ପ୍ରାୟ ୧୩୮କୋଟି ଟଙ୍କା ଖର୍ଚ୍ଚ ହେଉଛି। କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବାର କାର୍ୟ୍ୟକ୍ରମ ରହିଛି।
ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ଶିକ୍ଷା ସହ ଜଡ଼ିତ ସମସ୍ତଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମଥର ଆୟୋଜିତ ହେଉଥିବା ଏପରି କାର୍ୟ୍ୟକ୍ରମ ଦେଶରେ ପ୍ରଥମ। ବ୍ୟକ୍ତିଗତ ଯୋଗଦାନଠାରୁ ଆରମ୍ଭ କରି ସାଂଗଠନିକ ଉଦ୍ୟମରେ ଶିକ୍ଷା କ୍ଷେତ୍ରକୁ ଅନନ୍ୟ ସୋପାନକୁ ନେଇଥିବା ଶ୍ରେଷ୍ଠମାନଙ୍କୁ ପୁରସ୍କୃତ କରିବା ପାଇଁ ବଛାଯାଇଛି। ବିଦ୍ୟାର୍ଥୀ, ପ୍ରଧାନଶିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନି କମିଟି, ପଞ୍ଚାୟତ, ବ୍ଲକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିବା ଜିଲ୍ଲା ମଧ୍ୟ ପୁରସ୍କୃତ ହେବାକୁ ମନୋନୀତ ହୋଇଛନ୍ତି।
Powered by Froala Editor