ପୌଷ ପୂର୍ଣିମା: ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ ମହାପ୍ରଭୁ

ପୁରୀ : ଆଜି ପବିତ୍ର ପୌଷ ପୁର୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ।
ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କି ରେ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ। ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ୟ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ସେହିପରି ଶୁକ୍ରବାର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ରାଜନହରରେ ଅନୁଷ୍ଠିତ ହେବ। ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜ ଅଭିଷେକ ହେବେ। ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶୀର୍ବାଦ ଦେବେ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତି କରାଯାଉଥିବା ବେଳେ ଏନେଇ ବ୍ରାହ୍ମଣ ମାନେ ଆଶିଷ ମଧ୍ୟ ଦେଇଥାନ୍ତି।
Powered by Froala Editor