ପ୍ରେମିକା ପାଇଁ ଝିଅ ବେଶରେ ପରୀକ୍ଷା ଦେବାକୁ ପହଞ୍ଚିଲେ ପ୍ରେମିକ, ଧରାଇଦେଲା ଫିଙ୍ଗରପ୍ରିଣ୍ଟ
ପଞ୍ଜାବର ଫରିଦକୋଟରେ ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ପାଇଁ ପ୍ରବେଶିକା ପରୀକ୍ଷା ଦେବା ମହଙ୍ଗା ପଡ଼ିଛି। କୋଟକପୁରାର ଡିଏଭି ପବ୍ଲିକ୍ ସ୍କୁଲ୍ରେ ଗତ ୭ ତାରିଖରେ ସ୍ବାସ୍ଥ୍ୟକର୍ମୀ ପରୀକ୍ଷା ଚାଲିଥିବାବେଳେ ଫାଜିଲ୍କାର ଅଙ୍ଗ୍ରେଜ ସିଂ ତାଙ୍କ ଗର୍ଲଫ୍ରେଣ୍ଡ ପରମଜିତ୍ଙ୍କ ଭଳି ବେଶରେ ପରୀକ୍ଷା ଦେଉଥିଲେ। ସେ ନାଲି ଚୁଡ଼ି, ବିନ୍ଦି, ଲିପ୍ଟେକ୍ ଲଗାଇବା ସହ ମହିଳା ପରିଧାନ ପିନ୍ଧିଥିଲେ।
ପରୀକ୍ଷା ହଲ୍ରେ ନିୟୋଜିତ ଥିବା ୟୁନିଭର୍ସିଟି କର୍ମଚାରୀ ଜାଲିଆତି ସନ୍ଦେହ କରି ପୋଲିସରେ ଅଭିଯୋଗ କରିଥିଲେ। ଅଙ୍ଗ୍ରେଜ ନିଜକୁ ପରମଜିତ ଭାବେ ପ୍ରମାଣିତ କରିବା ପାଇଁ ଜାଲ ଭୋଟର ଏବଂ ଆଧାର କାର୍ଡ ବ୍ୟବହାର କରିଥିଲେ। ତେବେ ବାୟୋମେଟ୍ରିକ୍ ଉପକରଣରେ ତାଙ୍କ ଆଙ୍ଗୁଠି ଛାପ ମେଳ ନ ଖାଇବାରୁ ସେ ଧରାପଡ଼ିଯାଇଥିଲେ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକାରୀ ଅଙ୍ଗ୍ରେଜ ସିଂହଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗ୍ରେଜ ସିଂହଙ୍କ ପ୍ରେମିକା ପରମଜିତ କୌରଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି। ଏହି ଘଟଣା ପରେ ପରୀକ୍ଷାକେନ୍ଦ୍ରର ସୁରକ୍ଷା ଯାଞ୍ଚରେ ଥିବା କର୍ମଚାରୀଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor