ଶେଷ ପର୍ୟ୍ୟାୟରେ ସବୁ ପ୍ରସ୍ତୁତି, ଆଜି ଶ୍ରୀମନ୍ଦିର ପ୍ରଶାସନକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ନିର୍ମାଣ ସଂସ୍ଥା
ପୁରୀ : ଶେଷ ପର୍ୟ୍ୟାୟରେ ସବୁ ପ୍ରସ୍ତୁତି। ପରିକ୍ରମା ପ୍ରକଳ୍ପକୁ ଦିଆଯାଉଛି ଫାଇନାଲ ଟଚ୍। ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ, ପରିକ୍ରମା ମାର୍ଗ ଏବଂ ଯଜ୍ଞସ୍ଥଳ କାମ ସରିବା ଉପରେ। ଗୁରୁବାର ସବୁ କାମ ଶେଷ ହେବ। ଗୁରୁବାର ରାତି ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ନିର୍ମାଣ ସଂସ୍ଥା। ସମସ୍ତ ନିର୍ମାଣ କାର୍ୟ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର। ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଅଗ୍ରଗତିର ସମୀକ୍ଷା କରିଥିଲେ। ସଠିକ୍ ସମୟରେ ସବୁ କାମ ଶେଷ ହେବ ବୋଲି କହିଛନ୍ତି ସୁରେଶ ମହାପାତ୍ର।
ସେପଟେ ଖୁବଶୀଘ୍ର ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍। ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ବିନା ବାଧାରେ କିପରି ପୁରୀ ଆସିପାରିବେ ସେନେଇ ମୁଖ୍ୟମନ୍ତ୍ରୀ ଏହି ବସ୍ ସେବା ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଖୁବଶୀଘ୍ର ଶୁଭାରମ୍ଭ କରିବେ। ରାଜ୍ୟରେ ୬୦ଟି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଗଡ଼ିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର।
Powered by Froala Editor