ୱାଇଏସଆର କଂଗ୍ରେସ ଛାଡିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ: ୱାଇଏସଆର କଂଗ୍ରେସ ଛାଡିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ରାଜନୀତିରେ ପ୍ରବେଶ କରିବାର କିଛି ଦିନ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପର୍ୟ୍ୟନ୍ତ ସେ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା କହିଛନ୍ତି । ଏନେଇ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାୟୁଡୁ । ଡିସେମ୍ବର ୨୮ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଥିଲେ ।
ଟ୍ବିଟ୍ କରି ଅମ୍ବାତି ରାୟୁଡୁ କହିଛନ୍ତି, ''ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ ୱାଇଏସଆର କଂଗ୍ରେସ ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଇଛି । କିଛି ଦିନ ପର୍ୟ୍ୟନ୍ତ ମୁଁ ରାଜନୀତିରୁ ଦୂରେଇ ରହିବାକୁ ଏପରି ନିଷ୍ପତ୍ତି ନେଇଛି । ଆଗାମୀ ପଦକ୍ଷେପ ବିଷୟରେ ପରବର୍ତ୍ତୀ ସମୟରେ ଅବଗତ କରାଯିବ, ଧନ୍ୟବାଦ ।''
ଗତବର୍ଷ ଡିସେମ୍ବର ୨୮ ତାରିଖରେ ୱାଇଏସଆର କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ ଅମ୍ବାତି ରାୟୁଡୁ । କ୍ରିକେଟ ମଇଦାନ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଦଳରେ ଯୋଗଦେବା ପୂର୍ବରୁ ସେ ଏକାଧିକ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ଭେଟିଥିଲେ । ଏହାପରେ ସେ ଦଳରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳରେ ସାମିଲ ହୋଇଥିଲେ । ଏହାର ଠିକ ୯ ଦିନ ପରେ ଅର୍ଥାତ୍ ଆଜି ସେ ଦଳ ଛାଡିଛନ୍ତି । ଏପରି ନିଷ୍ପତ୍ତି କାହିଁକି ନେଲେ ରାୟୁଡୁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।
Powered by Froala Editor