ଏଣିକି ଆଉ ବିକ୍ରି ହେବ ନାହିଁ, ବ୍ଳଡ଼ ଅଭାବରୁ କେହି ମରିବେ ନାହିଁ
ନୂଆଦିଲ୍ଲୀ: ଆଉ ବିକ୍ରି ହେବନି ବ୍ଲଡ୍ । ଅର୍ଥାତ ଦେଶରେ ଆଉ ରକ୍ତର ବିକ୍ରି କରାଯାଇପାରିବ ନାହିଁ । ତେବେ ଜରୁରୀ ପରିସ୍ଥିତିରେ ବ୍ଲଡ୍ ପାଇଁ ହସ୍ପିଟାଲ ଓ ଘରୋଇ ବ୍ଲଡ୍ ବ୍ୟାଙ୍କ ଯେଉଁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ, ତା ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏଣିକି ଏହି ଅନୁଷ୍ଠାନମାନେ ରକ୍ତର ବିକ୍ରି କରିପାରିବେ ନାହିଁ ।
ପୂର୍ବରୁ ଘରୋଇ ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କରେ ଗୋଟିଏ ବ୍ଲଡ୍ ପ୍ୟାକେଟ୍ ପାଇଁ ୨ରୁ ୬ ହଜାର ଟଙ୍କା ଦାବି କରାଯାଉଥିଲା । ଏମିତି କି ବିରଳ ବ୍ଲଡ୍ ଗ୍ରୁପର ରକ୍ତ ପାଇବା ପାଇଁ କିଛି କିଛି ଜାଗାରେ ୧୫ ହଜାର ଟଙ୍କା ପର୍ୟ୍ୟନ୍ତ ବି ଦାବି କରାଯାଉଥିବା ଦେଖିବାକୁ ମିଳିଛି । ଏ ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ କେବଳ ପ୍ରୋସେସିଂ ଫିସ୍ ଦେଇ ଜଣେ ବ୍ୟକ୍ତି ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେଇପାରିବ । ତେବେ ଏହି ପ୍ରୋସେସିଂ ଫିସ୍ ଦାମ ୨୫୦ ଟଙ୍କାରୁ ୧୫୫୦ ଟଙ୍କା ଭିତରେ ରହିବ ବୋଲି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ବ୍ଲଡକୁ ନେଇ ସରକାରଙ୍କ ଏହି ନିଷ୍ପତ୍ତି ପରେ, ଅନେକ ରୋଗୀ ଲାଭବାନ ହେଇପାରିବେ । ଖାସକରି ଥାଲାସେମିଆ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଏହା ସଞ୍ଜିବନୀ ହେବ । ଏହି ରୋଗରେ ପୀଡିତ ଲୋକଙ୍କୁ ବର୍ଷରେ ଏକାଧିକ ଥର ରକ୍ତ ବଦଳାଇବାକୁ ପଡିଥାଏ । ତେଣୁ ସରକାରଙ୍କ ଏପରି ନିଷ୍ପତ୍ତିକୁ ଅନେକ ଲୋକ ସ୍ୱାଗତ କରିଛନ୍ତି ।
Powered by Froala Editor