ଜାଣନ୍ତୁ କିଏ ଏହି ବାବା, ଯିଏ ୩୩ ବର୍ଷ ପୂର୍ବରୁ କରିଥିଲେ ରାମମନ୍ଦିର ନିର୍ମାଣର ଭବିଷ୍ୟବାଣୀ
ଚଳିତ ମାସ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ । ଏହି ଉତ୍ସବ ପାଇଁ ସାରା ଦେଶରେ ଉତ୍ସାହର ମାହୋଲ ଦେଖା ଦେଇଥିବାବେଳେ ଚାଲିଛି ନିମନ୍ତ୍ରଣ ପତ୍ର ବଣ୍ଟା । ଏହି କ୍ରମରେ ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାର ମଇଲସ୍ଥିତ ବ୍ରହ୍ମାଋଷି ଦେବରହା ବାବା ଆଶ୍ରମର ମହନ୍ତଙ୍କୁ ବି ନିମନ୍ତ୍ରଣ ପଠାଯାଇଛି। ଏହି ନିମନ୍ତ୍ରଣ ପାଇବା ପରେ ମହନ୍ତ ଶ୍ୟାମ ସୁନ୍ଦର ଦାସ ମହାରାଜ ଖୁବ ଉତ୍ସାହିତ ହୋଇଯାଇଛନ୍ତି।
ତେବେ ୩୩ ବର୍ଷ ପୂର୍ବରୁ ରାମ ମନ୍ଦିଣ ନିର୍ମାଣ ନେଇ ବାବା ଦେବରହା ଭବିଷ୍ୟବାଣୀ କରିଥିଲେ । ୟୁପିର ଦେବରିୟା ଜିଲ୍ଲାର ବ୍ରହ୍ମଋଷି ଦେବରହାଙ୍କ ଆଶ୍ରମରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ପହଞ୍ଚିଥିବାବେଳେ ମହନ୍ତ ଶ୍ୟାମ ସୁନ୍ଦର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ବାବା ଦେବରହା ୩୩ ବର୍ଷ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ନେଇ ଭବିଷ୍ୟବାଣୀ କରିଥିଲେ ।
ମହନ୍ତ ଶ୍ୟାମ ସୁନ୍ଦର ଦାସ ସୂଚନା ଦେଇ କହିଛନ୍ତି ଯେ, ୩୩ ବର୍ଷ ପୂର୍ବରୁ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ସମ୍ମୁଖରେ ଏହି ଭବିଷ୍ୟବାଣୀ କରିଥିଲେ ଦେବରହା ବାବା । ସେତବେଳେ ଆଲ୍ଲାବାଦରେ ରାମ ଜନ୍ମଭୂମିକୁ ନେଇ ସଭା ଅନୁଷ୍ଠିତ ହେଇଥିଲା, ଏହି ସଭାରେ ଶଙ୍କରାଚାଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଆଉ ସମସ୍ତଙ୍କର ଉପସ୍ଥିତିରେ ବାବା ଦେବରହା ମନ୍ଦିର ନିର୍ମାଣର ମନୋକାମନା ଅବଶ୍ୟ ପୂର୍ଣ୍ଣ ହେବ ବୋଲି କହିବା ସହିତ ହିନ୍ଦୁ-ମୁସଲିମ୍ ସବୁ ଲୋକ ମିଶି ଏହି କାମ ପୂର୍ଣ୍ଣ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ ।
ମହନ୍ତ ଶ୍ୟାମ ସୁନ୍ଦର କହିଛନ୍ତି , ‘ଯେଉଁ ମହାପୁରୁଷଙ୍କ ଆର୍ଶୀବାଦରୁ ମନ୍ଦିର ନିର୍ମାଣ ହୋଇଛି ସେଠାରେ ଏବେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ନିମନ୍ତ୍ରଣ ପତ୍ର ଆସିବା ସୌଭାଗ୍ୟର କଥା। ଭଗବାନଙ୍କ କୃପାରୁ ମୁଁ ଅଯୋଧ୍ୟା ନିଶ୍ଚିୟ ଯିବି।
Powered by Froala Editor