ଲାଲୁ ଓ ତେଜସ୍ୱୀଙ୍କୁ ପୁଣି ପଚରାଉଚରା କରିବ ଇଡି

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା ପାଇଁ ପୁଣି ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତଦନ୍ତକାରୀ ସଂସ୍ଥା ସୂତ୍ରରୁ ପ୍ରକାଶ ଯେ ଉଭୟଙ୍କୁ ଆସନ୍ତା ଡିସେମ୍ବର ୨୨ ଏବଂ ୨୭ରେ ପଚରାଉଚରା ପାଇଁ ଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟକୁ ଡକାଯାଇଛି।
ଉଲ୍ଲେଖଯୋଗ୍ୟ, ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବ ଅଭିଯୁକ୍ତ ଅଛନ୍ତି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ୮ ଜଣଙ୍କ ଆବେଦନକୁ ନେଇ ସିବିଆଇ ଠାରୁ ଜବାବ ମାଗିଛନ୍ତି କୋର୍ଟ।ଆବେଦନରେ ଚାର୍ଜ ସିଟ୍ ସହିତ ଦାଖଲ ହୋଇଥିବା ଦଲିଲଗୁଡ଼ିକୁ ଯୋଗାଇବା ପାଇଁ ଦାବି କରାଯାଇଥିଲା। ଆସନ୍ତା ଜାନୁଆରୀ ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
କିନ୍ତୁ, ଗତ କିଛି ଦିନ ମଧ୍ୟରେ ଲାଲୁ ପରିବାରର ଅତି ନିକଟତର କିଛି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ସେମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ବୟାନ ଆଧାରରେ ଇଡି ଟିମ୍ ଲାଲୁ ପ୍ରସାଦ ଏବଂ ତେଜସ୍ୱୀ ଯାଦବଙ୍କୁ ଇଡି ପଚରାଉଚରା କରିବାକୁ ଚାହୁଁଛି।
Powered by Froala Editor