ପାଣ୍ଡିଆନ ଲଢ଼ିବେନି ନିର୍ବାଚନ
ଭୁବନେଶ୍ୱର: ନିର୍ବାଚନ ଲଢ଼ିବେନି ଭି. କାର୍ତ୍ତିକେୟ ପାଣ୍ଡିଆନ । ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ତେବେ ସେ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ ଦେବୀ କହିଛନ୍ତି। ଆଜି ବିଜେଡି କାର୍ୟ୍ୟକାରିଣୀ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବୀ ମିଶ୍ର ଏହି କଥା କହିଛନ୍ତି।
ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା।
ଏହାପରେ କାର୍ୟ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ୟ୍ୟଙ୍କ ଅଭିଭାଷଣ ରଖିଥିଲେ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।
ବୈଠକରେ ହୋଇଥିବା ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ବିଜେଡି ସାଙ୍ଗଠନିକ ନିର୍ବାଚନ ବର୍ଷେ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ବିରୋଧୀଙ୍କୁ କାଉଣ୍ଟର କରିବାକୁ ସୋଶାଲ ମିଡିଆକୁ ଅସ୍ତ୍ର କରାଯିବ। ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀଙ୍କ ପାଖରେ କିଛି ଇସ୍ୟୁ ନାହିଁ ବୋଲି ସଭାପତି କହିଛନ୍ତି। କିଛି ଇସ୍ୟୁ ନଥିବାରୁ ମିଛ କହି ଅପପ୍ରଚାର କରୁଛନ୍ତି ବିରୋଧୀ।
ସେହିପରି ପୁଣି ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ କାର୍ୟ୍ୟକାରିଣୀରେ ନିଷ୍ପତ୍ତି ନେଇଛି ବିଜେଡି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଉଦ୍ୟମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନିରବତା ନେଇ ଦୁଃଖପ୍ରକାଶ କରିଛି ଦଳ। କୋଇଲା ରୟାଲିଟି, ସେସ୍ରେ ଦାବି ପୂରଣ ପାଇଁ ଉଦ୍ୟମ ଚାଲିବ ବୋଲି କହିଛନ୍ତି ଦେବୀ ମିଶ୍ର।
Powered by Froala Editor