ଦୁବାଇରେ ମହାଦେବ ଆପର ସହ ସଂସ୍ଥାପକ ଗିରଫ

ନୂଆଦିଲ୍ଲୀ : ମହାଦେବ ଆପ୍ ଦୁର୍ନୀତି ମାମଲାରେ ଇଡିକୁ ବଡ଼ ସଫଳତା ମିଳିଛି। ଦୁବାଇରେ ମହାଦେବ ଆପର ସହ ସଂସ୍ଥାପକ ରବି ଉପ୍ପଲ ଗିରଫ ହୋଇଥିବା ଜଣାପଡିଛି। ରବିଙ୍କୁ ଧରିବାକୁ ଇଡିର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ୱାରା ରେଡ ନୋଟିସ ଜାରି କରାଯାଇଥିଲା। ଏହାପରେ ଦୁବାଇ ପୁଲିସ୍ ରବିଙ୍କୁ ଗତ ସପ୍ତାହରେ ବାନ୍ଧିଥିବା ଜଣାଯାଇଛି। ରବି ଉପ୍ପଲଙ୍କ ବିରୋଧରେ ଛତିଶଗଡ଼ ଓ ମୁମ୍ବାଇ ପୁଲିସ୍ ଯାଞ୍ଚ ଚଳାଇଛି। ମହାଦେବ ବେଟିଂ ଆପ୍କୁ ନେଇ ଇଡି ଖୋଳତାଡ଼ ଜାରି ରଖିଛି। ରବି ଏହି ଆପରର ମୁଖ୍ୟ ଅଭିଯୁକ୍ତ ସୌରବ ଚନ୍ଦ୍ରାକରଙ୍କ ସହଯୋଗୀ ବୋଲି ଜଣାଯାଇଛି।
ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଇଡି ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି, ଗତ ସପ୍ତାହରେ ଦୁବାଇରେ ୪୩ ବର୍ଷିୟ ଉପ୍ପଲଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର କର୍ତ୍ତୃପକ୍ଷମାନେ ସେ ଦେଶର ସରକାରୀ କର୍ତ୍ତୃପକ୍ଷମାନଙ୍କ ସହିତ ଯୋଗସୂତ୍ର ରଖିଛନ୍ତି।
ଭାରତରେ ଛତିଶଗଡ ଏବଂ ମୁମ୍ବାଇ ପୁଲିସ ଉପ୍ପଲ ବିରୋଧରେ ତଦନ୍ତ କରୁଛି। ଏପଟେ ଇଡି ମହାଦେବ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି। ମହାଦେବ ବୁକ୍ ଆପ୍ ବେଟିଂ ପାଇଁ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇଥାଏ। ଏହାକୁ ଭାରତରେ ବ୍ୟାନ୍ କରାଯାଇଛି। କିନ୍ତୁ ଏହା ଅନ୍ୟ ଦେଶରେ ଚାଲିଛି । ଛତିଶଗଡର ବାସିନ୍ଦା ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଏହାକୁ ପରିଚାଳନା କରୁଛନ୍ତି। ଉଭୟଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।
Powered by Froala Editor