ନୂଆ ଜୀବନ ପାଇଲା ନବଜାତ : ୬ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର
ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଥିବା ଏକ ବୋରଓ୍ବେଲ ମଧ୍ୟରେ କେହି ଫିଙ୍ଗି ଚାଲିଯାଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ତେବେ ଉଦ୍ଧାର ହେବା ପରେ ଶିଶୁଟିକୁ ଡାକ୍ତରଖାନା ନିଆଯାଇଛି।
ସୂଚନା ଅନୁସାରେ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ନଳକୂପରୁ ଏକ ଶିଶୁର କାନ୍ଦ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ଲୋକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ଖବର ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ, ପୁଲିସ ଓ ପ୍ରଶାସନିକ ଅଧିକାରୀର ଟିମ୍ ଅପରାହ୍ଣ ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ପାଇପ୍ ମଧ୍ୟରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା। ହେଲେ ସେ କାନ୍ଦୁଥିବାରୁ ଆଶା ବଢ଼ିଥିଲା। ରାତି ହେବା ସତ୍ତ୍ୱେ ଲାଇଟ୍ ଲଗାଯାଇ ଅପରେଶନ ଜାରି ରହିଥିଲା। ମାଟି ଖୋଳା ଶେଷ ହେବା ପରେ ଲୁହା ପାଇପ୍କୁ କଟାଯାଇ ସତର୍କତାର ସହ ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ଶିଶୁକନ୍ୟାକୁ ପରିତ୍ୟକ୍ତ ନଳକୂପ ଭିତରୁ ଉଦ୍ଧାର କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ୍ରାଫ୍, ଅଗ୍ନିଶମବାହିନୀ, ମେଡିକାଲ ଟିମ୍ ଓ ଉଦ୍ଧାରକାରୀ ଟିମ୍ର ଅନ୍ୟ ସଦସ୍ୟ ତଥା ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ସେ କହିଛନ୍ତି।
Powered by Froala Editor