କ୍ଷେତରୁ ନିଶା ଦ୍ରବ୍ୟ ସହିତ ଡ୍ରୋନ୍ ଉଦ୍ଧାର
ନୂଆଦିଲ୍ଲୀ: ପଞ୍ଜାବରେ ସୀମା ସୁରକ୍ଷା ବଳ – ବି.ଏସ୍.ଏଫ୍. ଗତକାଲି ଅମୃତସରର ରୋରାନୱାଲା ଗାଁର ଏକ କ୍ଷେତରେ ନିଶା ଦ୍ରବ୍ୟ ସହିତ ଏକ ଡ୍ରୋନ୍ ଉଦ୍ଧାର କରିଛି। ବି.ଏସ.ଏଫ. ପଞ୍ଜାବ ଫ୍ରଣ୍ଟିୟର ଏକ ବିବୃତ୍ତିରେ କହିଛି ଯେ ସୀମା ବାଡ ନିକଟରେ ପାଟ୍ରୋଲିଂ ବେଳେ ଯବାନମାନେ ଅମୃତସରର ରୋରାନୱାଲା ଗ୍ରାମ ନିକଟ ପଡ଼ିଆରେ ଏକ ସନ୍ଦେହଜନକ ଜିନିଷ ଦେଖିଥିଲେ। ଏହି ଅଞ୍ଚଳର ବିସ୍ତୃତ ଅନୁସନ୍ଧାନ ବେଳେ ବି.ଏସ୍.ଏଫ୍. ସୈନ୍ୟମାନେ ଟେପ୍ ଦ୍ୱାରା ଗୁଡ଼ାଯାଇଥିବା ହଳଦିଆ ପ୍ୟାକେଟ୍ ଓ ଡ୍ରୋନ୍ ଉଦ୍ଧାର କରିଥିଲେ। ଏହି ପ୍ୟାକେଟରେ ୪୫୦ ଗ୍ରାମ ନିଶାଦ୍ରବ୍ୟ ରହିଥିଲା, ଏହା ହେରୋଇନ ବୋଲି ସନ୍ଦେହ କରାଯାଉଛି।
ବି.ଏସ୍.ଏଫ. କହିଛି ଯେ ଉଦ୍ଧାର ହୋଇଥିବା ଡ୍ରୋନ୍ ଚୀନରେ ନିର୍ମିତ। ବି.ଏସ୍.ଏଫ୍. ସୈନିକମାନେ ପୁଣି ଥରେ ଚୋରା ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି।
Powered by Froala Editor