ଆଜି ମହାପ୍ରଭୁଙ୍କ ବାଙ୍କଚୂଡ ବେଶ
ପୁରୀ: ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି। ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ରାତି ୩ଟା ୪୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବାଙ୍କଚୂଡ ବେଶରେ ସଜ୍ଜିତ କରାଯିବ।
ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ। ଆସନ୍ତାକାଲି ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ। ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।
Powered by Froala Editor