ଆଦିବାସୀଙ୍କ ସ୍ବାର୍ଥ ପାଇଁ ଆଗକୁ ନିଆଁ ଜଳିବ: ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଜାରି ରହିଛି ବିରୋଧୀଙ୍କ ବିରୋଧ। ଆଦିବାସୀ ଜମି କିଣାବିକା ସଂକ୍ରାନ୍ତ ପ୍ରସ୍ତାବ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭ ମାତ୍ରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ଚଳାଇବା କଷ୍ଟକର ହୋଇ ପଡ଼ିତଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ରାଜ୍ୟ ସରକାରଙ୍କୁ କଡ଼ା ସ୍ବରରେ ସମାଲୋଚନା କରିଛନ୍ତି। ସେ ଚେତାଇ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାର ଅଦିବାସୀ ଜମି ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ କରନ୍ତି, ତେବେ ଆନ୍ଦୋଳନ ତୀବ୍ରତର ହେବ। ଆଦିବାସୀଙ୍କ ସ୍ବାର୍ଥ ପାଇଁ ଆଗକୁ ନିଆଁ ଜଳିବ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ରାଜ୍ୟ ସରକାର ଡରୁଛନ୍ତି । ପ୍ରଶ୍ନକାଳ ଚାଲିଥିଲେ ସରକାରଙ୍କ ଅସଲ କଥା ପଦାକୁ ଆସିଥାନ୍ତା । ତେଣୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଛି । ସ୍ବାଧୀନତା ପରଠାରୁ ବିଜେଡି ଓ ବିଜେପି ଦକ୍ଷିଣ ଓଡ଼ିଶା ପାଇଁ କୌଣସି ବିକାଶ କରିନାହାନ୍ତି । ଯେତେସବୁ ଯୋଜନା ହୋଇଛି, ତାହା କଂଗ୍ରେସ ଅମଳରେ । ପ୍ରଚଳିତ ସରକାର କେବଳ ବାହାଃସ୍ପଟ ମାରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ, ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିପାରିବେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ସରକାର । ଯାହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରୁଛନ୍ତି । ଆଦିବାସୀଙ୍କ ଜମି ହଡପ କରିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାର ଏହି ଆଦିବାସୀ ଜମି କିଣାବିକା ପ୍ରସଙ୍ଗରେ ଯେଉଁ ସ୍ଥିଗତାଦେଶ ଜାରି କରିଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି ଉଭୟ ବିରୋଧୀ ଦଳ ।
Powered by Froala Editor