ଲଘୁଚାପ: ୨୭ ସୁଦ୍ଧା ଅବପାତରେ ପରିଣତ ହେବ
ଭୁବନେଶ୍ୱର: ଚଳିତ ମାସ ଶେଷ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବ। ଏହା କେବେ ଘନୀଭୂତ ହେବ ଓ ଏହା କେଉଁ ଦିଗକୁ ଗତି କରିବ ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଲଘୁଚାପ ଅବପାତରେ ପରିଣତ ହେବା ନେଇ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳରେ ଆସନ୍ତା ୨୫ ତାରିଖରେ ସୃଷ୍ଟି ହେବାକୁଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ୨୬ ତାରିଖରେ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ୨୭ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ।
ସମ୍ପ୍ରତି ରାଜ୍ୟରେ କୋହଲା ପାଗ ଜାରି ରହିଛି। ଅଧିକାଂଶ ସ୍ଥାନରେ ହାଲୁକା ପବନ ସହ ସ୍ୱଳ୍ପ ବର୍ଷା ଦେଖିବାକୁ ମିଳିଛି। ପୁରୀ ସମେତ ଜଗତସିଂହପୁର ଏବଂ ଗଞ୍ଜାମରେ ବି ହାଲୁକା ବର୍ଷା ହୋଇଛି। ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳି ତରଙ୍ଗାୟିତ ପବନ ପ୍ରଭାବରେ ଏଭଳି ପାଗ ସୃଷ୍ଟି ହୋଇଥିବା ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍ତି। ଆସନ୍ତା ୨-୪ ଦିନ ପର୍ୟ୍ୟନ୍ତ ଏଭଳି ପାଗ ଜାରି ରହିବ ଏବଂ ଗୁରୁବାର ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ତାପମାତ୍ରା ଉପରମୁହାଁ ହୋଇଛି।
Powered by Froala Editor