ସର୍ଟସର୍କିଟ ଯୋଗୁଁ କାନାରା ବ୍ୟାଙ୍କରେ ନିଆଁ, ଝରକା ଦେଇ ଡେଇଁଲେ ଲୋକ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ ଥିବା କାନାରା ବ୍ୟାଙ୍କ କୋଠାରେ ବଡଧରଣ ଅଗ୍ନିକାଣ୍ଡ ଘଟିଛି। କୋଠାର ପ୍ରଥମ ମହଲାରେ କାନାରା ବ୍ୟାଙ୍କ ଓ ପୁନାଓ୍ବାଲା ହାଉସିଂ ଫାଇନାନ୍ସର କାର୍ଯ୍ୟାଳୟ ରହିଛି । ସେଠାରେ ନିଆଁ ଲାଗିବା ପରେ କର୍ମଚାରୀମାନେ ଝରକାବାଟ ଦେଇ ତଳକୁ ଡେଉଁଥିବା ଦେଖାଯାଇଥିଲା । ଠିକ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ତେବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ହଜରତଗଞ୍ଜ ଅଞ୍ଚଳରେ ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।ସ୍ଥାନୀୟ ଲୋକେ ମଧ୍ୟ ନିଜ ସ୍ତରରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ନିଆଁ ଏତେ ଜୋରରେ ବ୍ୟାପିଯାଇଥିଲା ଯେ କୋଠାରେ ପ୍ରବେଶ କରିବାକୁ କେହି ସାହସ ଜୁଟାଇ ପାରିନଥିଲେ ।ଏହି ଅଗ୍ନିକାଣ୍ଡ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି ।
Powered by Froala Editor