ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡ. ଜେ.ପି.ଦାସଙ୍କ ପରଲୋକ, ଓଡ଼ିଶା ପାଇଁ ତାଙ୍କ ଅବଦାନ ପ୍ରଶଂସନୀୟ
ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଡ. ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଶ୍ରୀ ଦାସଙ୍କ ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ଦାସ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜରେ ହୃଦରୋଗ ବିଭାଗ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
କଟକ ସହରରେ ଜନ୍ମଗ୍ରହଣ କରିଥିଲେ ସ୍ୱର୍ଗତ ଡ. ଯଦୁନାଥ ପ୍ରସାଦ। ଏଇଠି ବାଲ୍ୟଶିକ୍ଷା ପରେ ଏମ୍ସିବିଏସ୍ ପଢ଼ିଥିଲେ। ଏମ୍ସିବିଏସ୍ ପାଠ ପଢ଼ା ସରିବା ପରେ ବିଦେଶରେ ସ୍ନତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତା’ପରେ ଭେଲୋର ସ୍ଥିତ ଖ୍ରୀଷ୍ଟିୟାନ୍ ମେଡ଼ିକାଲ୍ କଲେଜରୁ ହୃଦରୋଗ ଉପରେ ଡକ୍ଟରେଟ ଅଫ୍ ମେଡ଼ିସିନ୍ ଅଥବା ଡିଏମ୍(କାର୍ଡିଓଲୋଜି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଷାଠିଏ ଦଶକରେ ସମଗ୍ର ପୂର୍ବ ଭାରତରେ ସେ ଏକମାତ୍ର ଡିଏମ୍ ଡିଗ୍ରୀଧାରୀ କାର୍ଡିଓଲୋଜିଷ୍ଟ ଥିଲେ।
ହୃଦରୋଗ ଚିକିତ୍ସା କ୍ଷେତ୍ରରେ ଜେପି ଦାସଙ୍କ ବିଶେଷ ଅବଦାନ ଥିଲା। ଓଡ଼ିଶାରେ ହୃଦରୋଗ ଚିକିତ୍ସାର ପିତାମହ ରୂପେ ପରିଚିତ ଡ. ଜେପି ଦାସ ୧୯୭୦ ମସିହାରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ହୃଦରୋଗ ବିଭାଗ ପ୍ରତିଷ୍ଠା କରିବା ସହ ସେଠାରେ ପ୍ରଥମ ପ୍ରଫେସର ରୂପେ କାର୍ଯ୍ୟନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ
ଭିତରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ପ୍ରଥମ ଆଇସିୟୁ ପ୍ରତିଷ୍ଠା ହେବା ସହ ଶରୀରରେ ପେସମେକର୍ ଖଞ୍ଜିବା କାମ ଆରମ୍ଭ ହୋଇଥିଲା। ତାଙ୍କରି ସମୟରେ ହିଁ ପ୍ରଥମ କରି ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ଡିଏମ (କାର୍ଡିଓଲୋଜି) ଶିକ୍ଷାଦାନ ଆରମ୍ଭ ହୋଇଥିଲା ।
Powered by Froala Editor