ସନ୍ଦିଗ୍ଧ ବସ୍ତୁ ଉଡ଼ିଲା, ଇମ୍ଫାଲ ବିମାନବନ୍ଦରରେ ଉଡ଼ାଣ ବନ୍ଦ

ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରାଯାଇଛି। ବିମାନବନ୍ଦର ଉପରେ ଏକ ସଂଦିଗ୍ଧ ଉଡ଼ନ୍ତା ବସ୍ତୁ ଦେଖାଯିବା ପରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ୩ଟି ବିମାନ ୩ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଏବଂ ୨ଟି ଆସୁଥିବା ବିମାନକୁ କୋଲକାତା ଅଭିମୁଖେ ଡାଇଭର୍ଟ କରାଯାଇଥିଲା।
ଅପରାହ୍ନ ପ୍ରାୟ ୨ଟା ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଏବଂ ଲୋକମାନେ ଏହି ଡ୍ରୋନକୁ ଦେଖିଥିଲେ, ଯାହା ପରେ ଏୟାର ଇଣ୍ଡିଆର ଦୁଇଟି ଏବଂ ଗୋଟିଏ ଇଣ୍ଡିଗୋ ବିମାନକୁ ଉଡ଼ାଣ ନ କରିବାକୁ କୁହାଯାଇଥିଲା।
ସୂଚନାନୁସାରେ, ଏହି ଅଜଣାବସ୍ତୁ ଦେଖାଯିବା ପରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଭାରତୀୟ ବାୟୁସେନାକୁ ଆକାଶମାର୍ଗର ନିୟନ୍ତ୍ରଣ ହସ୍ତାନ୍ତର କରିଥିଲେ। ଯେ ପର୍ଯ୍ୟନ୍ତ ବାୟୁସେନା ପକ୍ଷରୁ ବାଣିଜ୍ୟିକ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇନାହିଁ ସେପର୍ଯ୍ୟନ୍ତ ଉଡ଼ାଣ ବିଳମ୍ବିତ ହେବ ।
Powered by Froala Editor