ବଳଦ ବୋଝେଇ ପିକଅପ୍ ଓଲଟି ଜଣେ ମୃତ
ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବଜାର ଠାରୁ ୨କିମି ଦୂର ଜୁଆଳିକଟା ଛକ ନିକଟରେ ବଳଦ ବୋଝେଇ ପିକଅପ୍ ଓଲଟି ଜଣେ ଯୁବକ ଓ ଗୋଟିଏ ବଳଦର ମୃତ୍ୟୁ ହୋଇଛି।
ସକାଳ ୮ଟା ସମୟରେ ଠାକୁରମୁଣ୍ଡା ବଜାର ଦେଇ କରଂଜିଆ ରାସ୍ତାରେ ଏକ ପିକଅପ୍ ବଳଦ ବୋଝେଇ କରି ଯାଉଥିଲା। ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶରତ ଥାନା ପୁଲିସ କର୍ମଚାରୀ ଯାଉଥିଲେ। ବଳଦ ବୋଝେଇ ପିକଅପ ପୁଲିସକୁ ଦେଖି ଛାନିଆଁରେ ଜୋରରେ ଗାଡ଼ି ଚଳାଇ ଜୁଆଳି ଛକରୁ ନିପାଣିଆ ରାସ୍ତାରେ ଚାଲିଯିବାକୁ ଚେଷ୍ଟା କରି ଏକ ରାସ୍ତାରେ ପୋତା ଯାଇଥିବା ଖୁଣ୍ଟିକୁ ଧକ୍ମା ଦେଇ ଓଲଟି ପଡ଼ିଥିଲା। ପିକଅପ୍ ଉପରେ ବସିଥିବା ଜଣେ ଯୁବକ ଓ ବଳଦ ପିକଅପ ତଳେ ଚାପି ହୋଇଯାଇଥିଲେ। ଯୁବକ ଓ ଗୋଟିଏ ବଳଦର ଦୁର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ପିକଅପରେ ୯ଟି ବଳଦ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
Powered by Froala Editor